fbpx

ଜାମ୍ମୁ-କାଶ୍ମୀରରେ ଏବେ ସଉଦା ଦୋକାନରେ ମିଳିବ ବିୟର, ମଞ୍ଜୁରୀ ଦେଲେ ଉପ ରାଜ୍ୟପାଳ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଡିପାର୍ଟମେଣ୍ଟାଲ ଷ୍ଟୋର ଏବଂ ସଉଦା ଦୋକାନରେ ବିୟର ବିକ୍ରି କରାଯାଇ ପାରିବ। ଏ ନେଇ କେନ୍ଦ୍ର ଶାସିତ ଅଞ୍ଚଳରେ ଅବକାରୀ ନୀତିରେ କିଛିଟା ପରିବର୍ତ୍ତନ କରାଯାଇଛି। ସୋମବାର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଶାସନିକ ପରିଷଦ ସହରାଞ୍ଚଳରେ ବିୟର ବିକ୍ରି କରିବାକୁ ଅନୁମତି ଦିଆଯାଇଛି। ପ୍ରଥମ ଥର ଜାମ୍ମୁ-କାଶ୍ମୀରରେ ଡିପାର୍ଟମେଣ୍ଟାଲ ଷ୍ଟୋରରେ ବିୟର ବିକ୍ରି ହେବ। ହେଲେ ଏଥିପାଇଁ କିଛି ସର୍ତ୍ତ ରହିଛି।

କଣ ରହିଛି ସର୍ତ୍ତ:
ଏକ ବାଣିଜ୍ୟିକ ପରିସରରେ ସେହି ଡିପାର୍ଟମେଣ୍ଟାଲ ଷ୍ଟୋର ଥିବ ଯାହା ସର୍ବନିମ୍ନ ୧୨୦୦ ବର୍ଗ ଫୁଟରେ ବ୍ୟାପ୍ତ। ଜାମ୍ମୁ ଏବଂ ଶ୍ରୀନଗରରେ ଅତି କମରେ ଏହାର ବାର୍ଷିକ କାରବାର ୫ କୋଟି ଟଙ୍କା ଏବଂ ଅନ୍ୟ ସହରାଞ୍ଚଳରେ ୨ କୋଟି ଟଙ୍କାର କାରବାର ଥିବ। ଏହି ସର୍ତ୍ତ ହିସାବରେ ଯିଏ ଯୋଗ୍ୟ ତାଙ୍କୁ ହିଁ ବିୟର ବିକିବାକୁ ଅନୁମତି ମିଳିବ। ଜଣେ ଅଧିକାରୀ କହିଛନ୍ତି, ୧୦ କୋଟି ଟଙ୍କାର ବାର୍ଷିକ କାରବାର ଥିବା ଡିପାର୍ଟମେଣ୍ଟାଲ ଷ୍ଟୋର ନିଜର ପ୍ରତ୍ୟେକ ଷ୍ଟୋର ଲାଗି ଅଲଗା ଲାଇସେନ୍ସ ପାଇଁ ଆବେଦନ କରି ପାରିବେ। ଡିପାର୍ଟମେଣ୍ଟ ଷ୍ଟୋର ଅତି କମରେ ୧୨ ମାସର ହୋଇଥିବା ଦରକାର ବୋଲି ଅଧିକାରୀ କହିଛନ୍ତି।

କେବଳ ଏତିକି ନୁହେଁ ଉକ୍ତ ଡିପାର୍ଟମେଣ୍ଟାଲ ଷ୍ଟୋର ଅତି କମରେ ଛଅ ପ୍ରକାରର ସାମଗ୍ରୀ ବିକ୍ରି କରୁଥିବ। ସଉଦା, ପ୍ୟାକିଂ ଭୋଜନ, ବେକରୀ ଆଇଟମ, ଅନ୍ୟ ପ୍ରସାଧନ ସାମଗ୍ରୀ, ଘରୋଇ ସାମଗ୍ରୀ, କଂସା ବାସନ, ରୋଷେଇ ସାମଗ୍ରୀ, କ୍ରୀଡା ସାମଗ୍ରୀ, ବୈଦ୍ୟୁତିକ ଉପକରଣ ଏବଂ ଷ୍ଟେସନାରୀ ଆଦି ମଧ୍ୟରୁ ଛଅ ପ୍ରକାରର ସାମଗ୍ରୀ ବିକ୍ରି ହେଉଥିଲେ ବିୟର ବିକିବାକୁ ଲାଇସେନ୍ସ ମିଳିବ। ପେଟ୍ରୋଲ ପମ୍ପରେ କାମ କରୁଥିବା ଡିପାର୍ଟମେଣ୍ଟାଲ ଷ୍ଟୋର ପାଇଁ ଲାଇସେନ୍ସ ଦେବା ନେଇ ବିଚାର କରାଯିବ ନାହିଁ ବୋଲି ଅଧିକାରୀ କହିଛନ୍ତି।

Get real time updates directly on you device, subscribe now.