fbpx

ଜମ୍ମୁ-କଶ୍ମୀରରେ ବଢିବ ବିଧାନସଭା ଆସନ, ୮୩ରୁ ହେବ ୯୦, ଆସନ୍ତା ବର୍ଷ ହୋଇପାରେ ନିର୍ବାଚନ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ଏବଂ  ପୁନର୍ଗଠନକୁ ଏବେ ମଧ୍ୟ ବିରୋଧୀ ଦଳ ହଜମ କାରି ପାରୁ ନାହାନ୍ତି । ପୁଣିି ଥରେ ଘାଟିରେ ଅନୁଚ୍ଛେଦ ୩୭୦ ଲାଗୁ କରିବାକୁ ସେମାନେ ଦାବି କରୁଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ଉପତ୍ୟକାର ନୂତନ ପରିସୀମା ନିର୍ଦ୍ଧାରଣ କରି ଆଗାମୀ ବର୍ଷରେ ନିର୍ବାଚନ କରାଇବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଘାଟିରେ ପରିସୀମା ପୁନଃ ନିର୍ଦ୍ଧାରଣ କାମ ଚାଲିଛି । ଏହି କ୍ରମରେ ପରିସୀମା ଆୟୋଗ ପକ୍ଷରୁ ଆସିଛି ବଡ ଖବର । ଆୟୋଗଙ୍କ ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀର ବିଧାନସଭାର ଆସନ ସଂଖ୍ୟା ୭ ବୃଦ୍ଧି କରାଯିବ । ଏହା ପରେ କେନ୍ଦ୍ର ଶାସିତ ଅଞ୍ଚଳର ଆସନ ୯୦କୁ ବୃଦ୍ଧି ଘଟିବ । ଏହାର ସମସ୍ତ କାର୍ଯ୍ୟ ୨୦୧୧ ଜନଗଣନା ହିସାବରେ କରାଯାଉଛି ।

ଆୟୋଗଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଏହାର ଡ୍ରାଫ୍ଟ ପ୍ରସ୍ତୁତ କରି ରାଜ୍ୟପାଳ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ । ନୂତନ ପରିସୀମା ବିଷୟରେ ଲୋକଙ୍କ ମତାମତ ନିଆଯାଇ ଏକ ଚୂଡାନ୍ତ ଡ୍ରାଫ୍ଟ ବା ସତ୍ୟପାଠ ପ୍ରସ୍ତୁତ କରାଯିବ । ଜମ୍ମୁ-କଶ୍ମୀରରେ ପରିସୀମା ଆୟୋଗର ଅଧ୍ୟକ୍ଷ ରଞ୍ଜନା ଦେଶାଇ କହିଛନ୍ତି, ଏହା ଏକ ସାମ୍ବିଧାନିକ ପ୍ରକ୍ରିୟା ଏବଂ ଅଧିନିୟମ ଆଧାରରେ ହିଁ ଏହି ପ୍ରକ୍ରିୟା ଚାଲିଛି ।

ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ମଧ୍ୟ ୨୪ ଆସନ ଖାଲି ରହିଛି । ଏହା ଉପରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ନିଆଯାଇନଥିବା ଆୟୋଗ  କହିଛନ୍ତି । ବିଜେପିର ଏକ ପ୍ରତିନିଧିମଣ୍ଡଳ ପିଓକେର ଏହି ୨୪ ଆସନକୁ ଏଥିରେ ମିଶାଇ ମଧ୍ୟ ଦାବି କରିଥିଲେ । କେବଳ ଏତିକି ନୁହେଁ  ଜମ୍ମୁ-କଶ୍ମୀର ବିଜେପି  ଆୟୋଗଙ୍କୁ ସାକ୍ଷାତ କରି କଶ୍ମୀର ପଣ୍ଡିତ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ବିସ୍ଥାପିତ ଲୋକଙ୍କ ପାଇଁ ସଂରକ୍ଷଣ ଦାବି କରିଥିଲେ ।

ପରିସୀମା ନିର୍ଦ୍ଧାରଣ ଏକ ଜଟିଳ ପ୍ରକ୍ରିୟା ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା କହିଛନ୍ତି । ନିର୍ବାଚନ ମଣ୍ଡଳୀର ତଥ୍ୟ ସଂଗ୍ରହ କରାଯାଉଛି । ନିର୍ବାଚନ ଆୟୋଗର ଅଧିକାରୀ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ଅନେକ ଅଞ୍ଚଳ ଗସ୍ତ କରି ସ୍ଥାନୀୟ ନାଗରିକଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ଲୋକେ ସନ୍ତୋଷ ବ୍ୟକ୍ତ କରିଥିବା ଆୟୋଗ କହିଛନ୍ତି । ସମସ୍ତ ପ୍ରକ୍ରିୟା ପାରଦର୍ଶିତା ଓ ଆଇନଗତ ପ୍ରକ୍ରିୟାରେ କରାଯାଉଛି । ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ୨୦ ଜିଲ୍ଲା ଓ ୨୭୦ ତହସିଲ ରହିଛି।

 

 

 

 

Get real time updates directly on you device, subscribe now.