ତାରିଖ ଘୋଷଣା କଲେ ଉପରାଜ୍ୟପାଳ: ଅକ୍ଟୋବର ୧୬ରେ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଶପଥ ନେବେ

ନୂଆଦିଲ୍ଳୀ: ଜମ୍ମୁ କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ତାରିଖ ଘୋଷଣା କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଆସନ୍ତା ୧୬ ତାରିଖରେ ଜମ୍ମୁ କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓମର ଅବଦୁଲ୍ଲା ଶପଥ ଗ୍ରହଣ କରିବେ । ସକାଳ ୧୧.୩୦ ସମୟରେ ଏହି ଶପଥ ପାଠ କରାଯିବ । ଏନେଇ ଉପରାଜ୍ୟପାଳଙ୍କ ତରଫରୁ ଓମରଙ୍କ ନିକଟକୁ ଏକ ଚିଠି ଜାରି କରାଯାଇଛି । ନ୍ୟାସନାଲ କନଫରେନ୍ସ (ଏନସି), କଂଗ୍ରେସ ଓ ସ୍ୱାଧିନ ବିଧାୟକଙ୍କ ସମର୍ଥନରେ ଜମ୍ମୁ କଶ୍ମୀରରେ ମେଣ୍ଟ ସରକାର ଗଠନ ହେବ । ପୂର୍ବରୁ ଶପଥ ଗ୍ରହଣ ତାରିଖକୁ ନେଇ ବହୁ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଉପରାଜ୍ୟପାଳଙ୍କ ଘୋଷଣା ପରେ ତାହା ସ୍ପଷ୍ଟ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ଜମ୍ମୁ କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓମର ଅକ୍ଟୋବର ୧୪ରେ ଶପଥ ନେବେ ବୋଲି ପୂର୍ବରୁ ଚର୍ଚ୍ଚା ହୋଇଥିଲା । ସେଥିପାଇଁ ଗତ ୧୧ ତାରିଖରେ ଓମର ଏଲଜିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଡ. ଫାରୁକ ଅବଦୁଲ୍ଲାଙ୍କ ପତ୍ର ଓମର ଏଲଜିଙ୍କୁ ପ୍ରଦାନ କରିଥିଲେ । ଓମରଙ୍କୁ ଜମ୍ମୁ କଶ୍ମୀରର ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିବା ନେଇ ସେଥିରେ ଉଲ୍ଲେଖ ରହିଥିଲା । କଂଗ୍ରେସ, ସିପିଆଇ(ଏମ), ଆମ ଆଦମୀ ପାର୍ଟି (ଆପ) ଓ ସ୍ୱାଧିନ ବିଧାୟକଙ୍କ ସମର୍ଥନ ଥିବା ପତ୍ରକୁ ଓମର ଏଲଜିଙ୍କୁ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.