ପାକିସ୍ତାନକୁ ଆଇନା ଦେଖାଇଲେ ସୁଧାଂଶୁ ! ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ରହିଛି ଏବଂ ରହିବ…

ୱାଶିଂଟନ: ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ରହିଛି ଏବଂ ଆଗକୁ ମଧ୍ୟ ରହିବ । ଏମିତି କିଛି ଜାତି ସଂଘରେ କହିଛନ୍ତି ଭାଜପା ରାଜ୍ୟସଭା ସଦସ୍ୟ ସୁଧାଂଶୁ ତ୍ରିବେଦୀ । ୟୁଏନ ମିଟରେ ଭାରତ ପକ୍ଷରୁ ସାମିଲ ହୋଇଥିବା ସୁଧାଂଶୁ ତ୍ରିବେଦୀଙ୍କୁ କହିବାର ସୁଯୋଗ ଦିଆଯାଇଥିଲା । ଜମ୍ମୁ-କଶ୍ମୀରର ଲୋକେ ଭୋଟ ଦେଇ ନୂଆ ସରକାର ବାଛିଛନ୍ତି । ପାକିସ୍ତାନ ଅନାବଶ୍ୟକ ଭାବେ ୟୁଏନ ଫୋରମ୍କୁ ବାଟବଣା କରିବାର ପ୍ରୟାସ କରୁଛନ୍ତି । ଜାତି ସଂଘର ଅଗଷ୍ଟ ଫୋରମ୍ରେ ପାକିସ୍ତାନ ପକ୍ଷରୁ ମୌଳିକତା ବିହୀନ ଏବଂ ଭ୍ରାମକ ସର୍ତ୍ତର ଉଲ୍ଲେଖ କରାଯାଇଥିଲା । ଯାହା କୌଣସିମତେ ଗ୍ରହଣୀୟ ନୁହେଁ ବୋଲି ସୁଧାଂଶୁ କହିଛନ୍ତି ।

ଜାତି ସଂଘରେ ଶାନ୍ତି ସ୍ଥାପନା ନେଇ ଆଲୋଚନା ହେଉଥିବାବେଳେ ପାକିସ୍ତାନ ପ୍ରତିନିଧି କହିଥିଲେ ଜାତିସଂଘର ଶାନ୍ତି ସୌନିକଙ୍କ ସହ ପାକିସ୍ତାନ ସମ୍ପର୍କ ଖୁବ୍ ଭଲଥିଲା ଯେତେବେଳେ ସେମାନେ ଶାନ୍ତି ରକ୍ଷା ପାଇଁ ବିବାଦୀୟ କ୍ଷେତ୍ର ଜାମ୍ମୁ-କଶ୍ମୀରରେ ୧୯୪୮ରେ ନିୟୋଜିତ ଥିଲେ । ପାକିସ୍ତାନର ଏହି ଟିପ୍ପଣୀର ଉଚିତ ଜବାବ ରଖିଛନ୍ତି ସୁଧାଂଶୁ । ଏ ସମ୍ପର୍କରେ ସୁଧାଂଶୁ ଏକ୍ସରେ ଏକ ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁ ଭାରତ ଜମ୍ମୁ-କଶ୍ମୀର ସମ୍ପର୍କରେ ଜାତିସଂଘରେ କହିବାର ସୁଯୋଗ ପାଇଛି ।