fbpx

ସମ୍ବଲପୁର ରେଳ ଷ୍ଟେସନରେ ଜାମୁତାବୀ ଟ୍ରେନ ଲାଇନଚ୍ୟୁତ

ଓଡିଶା ଭାସ୍କର: ଦିନକୁ ଦିନ ଟ୍ରେନ ଲାଇନଚ୍ୟୁତ ଓ ଦୁର୍ଘଟଣା ବଢିବାରେ ଲାଗିଛି। ଯାହା ଏବେ ଏକ ଅତ୍ୟନ୍ତ ଚିନ୍ତାଜନକ ବିଷୟ। ବିଶେଷକରି ଗତ କିଛିଦିନ ହେବ ଯେଉଁଭଳି ଭାବେ ଟ୍ରେନ ଦୁର୍ଘଟଣା ଘଟିଚାଲିଛି, ଏସବୁକୁ ଦେଖିବା ପରେ ଯାତ୍ରୀ ମାନେ ଟ୍ରେନରେ ଯାତାୟାତ କରିବାକୁ ଭୟ କରୁଛନ୍ତି। ସେହିପରି ଟ୍ରେନ ଦୁର୍ଘଟଣା ପରର ଯେଉଁ କରାଳ ରୂପ ଦେଖିବାକୁ ମିଳୁଛି ତାହା ସମସ୍ତଙ୍କ ମନରେ ଛନକା ଛାଡି ଦେଇଯାଉଛି। ନିକଟରେ ବାହାନଗା, ଆନ୍ଧ୍ର କଣ୍ଟକାପାଲୀ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଦୁର୍ଘଟଣା, ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ମେମୁ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ଭଳି ଅନେକ ଛୋଟ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଥିଲା। ତେବେ ବର୍ତ୍ତମାନ ଏବେ ଏକ ଛୋଟିଆ ଅଘଟଣରୁ ରେଳ ବିଭାଗ ବର୍ତ୍ତିଯାଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ରେଳ ଷ୍ଟେସନରେ ସମ୍ବଲପୁର- ଜମ୍ମୁ ତୱି ଏକ୍ସପ୍ରେସର ପ୍ୟାଣ୍ଟ୍ରିକାର ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଷ୍ଟେସନରେ ଥିବା ୱାସିଙ୍ଗ ଲାଇନକୁ ଖାଲି ଗାଡ଼ି ଯାଉଥିବା ସମୟରେ ଗୋଟିଏ ବଗିର ଚକ ଟ୍ରାକ ବାହାରକୁ ଚାଲିଯାଇଥିଲା ଯାହାଫଳରେ ଲାଇନଚ୍ୟୁତ ହୋଇଥିଲା। ଏହି ଲାଇନଚ୍ୟୁତ ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ। ତେବେ ଲାଇନଚ୍ୟୁତ ହୋଇଥିବା ଜାଣିବା ପରେ ତୁରନ୍ତ ୱାସିଙ୍ଗ ଲାଇନର କର୍ମଚାରୀମାନେ ଉକ୍ତ ଟ୍ରେନକୁ ତୁରନ୍ତ ଟ୍ରାକକୁ ପୁଣି ନେଇ ଆସିଥିଲେ। ଏଥିରେ କ୍ଷୟକ୍ଷତି କିମ୍ବା କାହାର କୌଣସି ଅସୁବିଧା ହୋଇ ନାହିଁ। ସେହିପରି ଏହି ଲାଇନଚ୍ୟୁତ ଘଟଣା ଅନ୍ୟ ଟ୍ରେନର ଯାତାୟାତ ଉପରେ ମଧ୍ୟ କୌଣସି ପ୍ରଭାବ ପକାଇନାହିଁ । ଆଜି ସକାଳୁ ଟ୍ରାକରେ ୩ଟି ଟ୍ରେନ ଯାତାୟାତ କରି ସାରିଲାଣି। ସେପଟେ ଲାଇନଚ୍ୟୁତ ହୋଇଥିବା ସ୍ପଷ୍ଟ କାରଣ ଜଣାପଡ଼ିନଥିବା ବେଳେ ଏନେଇ ରେଳ ବିଭାଗ ତଦନ୍ତ ଜାରି ରଖିଛି।

Get real time updates directly on you device, subscribe now.