fbpx

ଦୁଇଟି ପିଲାର ମା’ ହୋଇ ବି ୪୦ ପରେ ଆରମ୍ଭ କଲେ ସାଇକ୍ଲିଂ କ୍ୟାରିୟର, ଗିନିଜ୍ ୱାର୍ଲ୍ଡ ରେକର୍ଡ଼ରେ ରହିଛି ତାଙ୍କ ନାଁ

ବୟସ ଏକ ସଂଖ୍ୟା ମାତ୍ର । ଦୃଢ଼ ଇଚ୍ଛା ଶକ୍ତି ଓ ଅଦମ୍ୟ ସାହସ ସାମ୍ନାରେ ହାର ମାନିଥାଏ ବୟସ । ସ୍ୱପ୍ନ ତ ଅନେକ ଦେଖିଥାନ୍ତି କିନ୍ତୁ ସଫଳତାର ସ୍ୱାଦ କେବଳ କିଛି ଲୋକଙ୍କ ଭାଗ୍ୟରେ ହିଁ ଥାଏ । ଦୀର୍ଘ ୪୦ ବର୍ଷ ପରେ ସାଇକ୍ଲିଂ କ୍ୟାରିୟର ଆରମ୍ଭ କରିଥିବା ଏହି ମହିଳା ଜଣଙ୍କ ହେଉଛନ୍ତି ପୁଣେର ପ୍ରୀତି ମସ୍କେ । ବିବାହ ପରେ ଅଧିକାଂଶ ମହିଳାଙ୍କ ପାଠପଢ଼ା ଏବଂ କ୍ୟାରିୟର ଉପରେ ରୋକ ଲାଗିଯାଏ । ଦୁଇଟି ସନ୍ତାନର ଜନନୀ ହୋଇଥିଲେ ବି ପ୍ରୀତି ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସବୁ ବାଧାବିଘ୍ନକୁ ପାର କରିଛନ୍ତି । କେବଳ ଏତିକି ନୁହେଁ ଲେହରୁ ମନାଲି ପର୍ଯ୍ୟନ୍ତ ୫୫ ଘଣ୍ଟା ୧୩ ମିନିଟ୍ ଏକାକୀ ସାଇକେଲ ଯାତ୍ରା କରି ପ୍ରଥମ ମହିଳା ଭାବେ ରେକର୍ଡ଼ ସୃଷ୍ଟି କରିଛନ୍ତି । ଗିନିଜ ୱାର୍ଲ୍ଡ ରେକର୍ଡ଼ରେ ପ୍ରୀତିଙ୍କ ନାଁ ରେକର୍ଡ଼ କରାଯାଇଛି ।

ପୁଣେର ଅଧିବାସୀ ହେଉଛନ୍ତି ପ୍ରୀତି ମସ୍କେ । ୪୦ ବର୍ଷ ବୟସରେ ସେ ରକ୍ତହୀନତା, ହର୍ମୋନାଲ ଇମ୍‌ବାଲାନ୍ସ, ପିସିଓଏସ୍ ଭଳି ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀଡ଼ିତ ଥିଲେ । ଶରୀର ଦୁର୍ବଳ ହୋଇଯାଇଥିଲା । ଘର ଏବଂ ଅଫିସ କାମ ସମ୍ଭାଳିବା ତାଙ୍କ ପକ୍ଷେ ସମ୍ଭବପର ନଥିଲା କିନ୍ତୁ ସେ କେବେ ହାର ମାନି ନଥିଲେ । ସ୍କୁଲରେ ପାଠପଢ଼ା ସମୟରେ ପ୍ରୀତି ଜାତୀୟ ସ୍ତରର ହକି ଏବଂ ବାସ୍କେଟବଲ୍ ଖେଳାଳୀ ଥିଲେ । ବୟସ ବଢ଼ିବା ସାଙ୍ଗକୁ ସେ ଧିରେ ଧିରେ ଖେଳିବା ବନ୍ଦ କରିଦେଇଥିଲେ ।

୨୦୧୭ ରେ ତାଙ୍କ ପୁଅ ସ୍କୁଲରେ ମାତା ପିତା ଦୌଡ଼ ପ୍ରତିଯୋଗିତାରେ ପ୍ରୀତି ଭାଗ ନେଇଥିଲେ । ଏହା ପରେ କୋଚ୍ ତାଙ୍କୁ ଏଣ୍ଡ୍ୟୁରୋ ହର୍ଡ଼ଲ ରେସ୍ ବିଷୟରେ ଜଣାଇଥିଲେ । ଏହି କ୍ରୀଡ଼ାରେ ସାଇକେଲ ଚାଳନା, ସନ୍ତରଣ ଏବଂ ଦୌଡ଼ ସାମିଲ ଅଛି । ପ୍ରୀତି ଏହି କ୍ରୀଡ଼ାରେ ଭାଗ ନେଇପାରିବେ ବୋଲି କୋଚ୍ ସ୍ପଷ୍ଟୋକ୍ତି କରିଥିଲେ । ତେବେ ପ୍ରୀତି ଏଥିପାଇଁ ଅଧିକ ପ୍ରାକ୍ଟିସ୍ କରିନଥିଲେ ମଧ୍ୟ ଏଣ୍ଡ୍ୟୁରୋ ହର୍ଡ଼ଲ ରେସରେ ଦ୍ୱିତୀୟ ସ୍ଥାନ ଅକତିଆର କରିଥିଲେ । ଏହା ପରେ ସେ କେବେ ପଛକୁ ଫେରି ଚାହିଁ ନାହାନ୍ତି । ସେ ସାଇକେଲ ଚାଳନା ଏବଂ ଦୌଡ଼ ଅଭ୍ୟାସ ଜାରି ରଖିଲେ । ସମୟକ୍ରମେ ପ୍ରୀତିଙ୍କ ସ୍ୱାସ୍ଥ୍ୟରେ ଧିରେ ଧିରେ ସୁଧାର ଆସିବା ପରେ ତାଙ୍କ ମନୋବଳ ବୃଦ୍ଧି ପାଇଥିଲା ।

୨୦୨୧ରେ ଗୋଲ୍ଡେନ୍ ସ୍କେ୍ୱୟାର ସାଇକେଲ ଚାଳନା(Golden Square Cycle Ride) ପୁରା କରିବା ପରେ ନୂଆ ଚ୍ୟାଲେଞ୍ଜ ଅନୁସନ୍ଧାନରେ ବାହାରି ପଡ଼ିଲେ । ଲେହରୁ ମନାଲି ପର୍ଯ୍ୟନ୍ତ ଅଲଟ୍ରା ସାଇକ୍ଲିଂ ରେକର୍ଡ଼ ଜିତିବା ତାଙ୍କ ପାଇଁ ସହଜ ନଥିଲା । ଏଥିପାଇଁ ସେ କଠୋର ଟ୍ରେନିଂ ନେଇଥିଲେ । ଏହା ବ୍ୟତୀତ ସେ ୪ଟି ଫୁଲ ମାରାଥନ୍‌, ୩୦ଟି ଅର୍ଧ ମାରାଥନ୍ ଏ ବଂ ୨ଟି ଅଲଟ୍ରା ଦୌଡ଼ରେ ପ୍ରତିଦ୍ୱନ୍ଦିତା କରିଥିଲେ । ଡ଼ିସେମ୍ବର, ୨୦୧୯ରେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୩, ୭୭୩ କିମି ଦୌଡ଼, ୧୭ ଦିନ ୧୭ ଘଣ୍ଟାରେ ସାଇକେଲ ଚାଳନା କରି ଗୋଷ୍ଠୀ ବିଶ୍ୱ ରେକର୍ଡ଼ ସୃଷ୍ଟି କରିଥିଲେ । ସେ ସାଇକେଲ ଉତ୍ପାଦନ ଏବଂ ଆଡ୍‌ଭେଞ୍ଚର କମ୍ପାନୀ ନାଁରେ ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କରିଛନ୍ତି ।

ପ୍ରୀତି କେବେ ବି ବିଶ୍ୱ ରେକର୍ଡ଼ କରିବେ ବୋଲି ଭାବି ନଥିବେ । ଏହା କେବଳ ତାଙ୍କ ଦୃଢ଼ ଇଚ୍ଛା ଶକ୍ତି, ସାହସ ଓ ପରିବାରର ସହଯୋଗ ପାଇଁ ସମ୍ଭବ ହୋଇପାରିଛି । ସେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ।

 

Get real time updates directly on you device, subscribe now.