fbpx

(Video) ହସ୍ପିଟାଲରେ ଗୀତିକାର ପ୍ରମୋଦ ପରିଡାଙ୍କୁ ଭେଟିଲେ ଜଟଣୀ ବିଧାୟକ ସୁର ରାଉତରାୟ; ହ୍ୟୁମାନ ସାଗରଙ୍କ ଗିରଫ ପାଇଁ କଲେ ଦାବୀ

ଭୁବନେଶ୍ୱର: ଗତ ୨୦ ତାରିଖରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ଗୁଣ୍ଡାମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେଇ ଥିବା ଗୀତିକାର ପ୍ରମୋଦ ପରିଡା ଏବେ ଭୁବନେଶ୍ୱରର ସମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମରଣାନ୍ତକ ଆକ୍ରମଣରେ ତାଙ୍କ ମୁଣ୍ଡ ଫାଟି ସିଲାଇ ହେଇ ଥିବା ବେଳେ, କାନ୍ଧ ଓ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଛି । ଫଳରେ ତାଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଗତ ୨୩ ତାରିଖରୁ ସମ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଏକ ଅଭିଜ୍ଞ ଡାକ୍ତରୀ କମିଟି ଗଠନ କରାଯାଇ ଚିକିତ୍ସା କରା ଯାଉଛି । ଘଟଣା ଘଟିବା ଦିନ ପ୍ରମୋଦ ସ୍ଥାନୀୟ କଟକ ବାଦାମବାଡ଼ି ଥାନାରେ FIR ରୁଜୁ କରିଥିଲେ । ହେଲେ ପୋଲିସ FIR ପଞ୍ଜିକରଣ କରି, ହାତବାନ୍ଧି ବସିଛି । ଯେଉଁଥିପାଇଁ ଭାଷା, ସାହିତ୍ୟ, ସଂସ୍କୃତିପ୍ରେମୀ ତଥା ବୁଦ୍ଧିଜୀବିମାନେ ଗଭୀର କ୍ଷୋଭ ପ୍ରକାଶ କରିବା ସହ, କମିଶନରେଟ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି । ପୋଲିସ ଜାଣିଶୁଣି ମାମଲାକୁ କୋହଳ କରିବା ସହ ହ୍ୟୁମାନ ସାଗରଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ଅଭିଯୋଗ ହେଉଛି । ଏପରି ଅଭିଯୋଗ ପାଇବାମାତ୍ରେ ପୀଡିତ ପ୍ରମୋଦଙ୍କୁ ସାକ୍ଷାତ କରି ଜଟଣୀ ବିଧାୟକ ସୁର ରାଉତରାୟ ପ୍ରମୋଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ହସ୍ପିଟାଲ କତୃପକ୍ଷଙ୍କସହ ଦୀର୍ଘ ସମୟ ଆଲୋଚନା କରିଥିଲେ ।

ପ୍ରେସକୁ ବିବୃତ୍ତି ଦେଇ ମୁଖ୍ୟ ଅଭିଯୁକ୍ତ ହ୍ୟୁମାନ ସାଗର ଓ ତାଙ୍କ ପୋଷାଗୁଣ୍ଡା ଦୀନେଶ ବେହେରାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସ ପ୍ରଶାସନକୁ ଦାବୀ ଜଣେଇ ଥିଲେ । ଘଟଣାରୁ ପ୍ରକାଶଯେ, ଗତ 20 ତାରିଖ ଦିନ 2.30 ମିନିଟରେ ପ୍ରମୋଦ କିଛି ଲେଖାଲେଖିରେ ବ୍ୟସ୍ଥଥିବା ବେଳେ ହ୍ୟୁମାନ ସାଗରଙ୍କ ମ୍ୟାନେଜେର ଦୀନେଶ ବେହେରା ଓ ହ୍ୟୁମାନଙ୍କ ବାଉଂସର ଅଚାନକ ପ୍ରମୋଦଙ୍କ ଘରେ ପସି, ବନ୍ଧୁକ ଦେଖେଇ ପ୍ରମୋଦଙ୍କୁ ବଳପୂର୍ବକ ଅପହରଣ କରି ନେଇ ଥିଲେ । ପରେ ତାଙ୍କୁ ହ୍ୟୁମାନ ସାଗରଙ୍କ ଅଫିସକୁ ନେଇ ସେଠାରେ ଏକଥନିୟ ନିର୍ଯାତନା ଦେଇଥିଲେ । ଏହି ସମୟରେ ହ୍ୟୁମାନ ତାଙ୍କ ମ୍ୟାନେଜର ଦିନେଶଙ୍କୁ ଭିଡ଼ିଓ କଲ କରି ପ୍ରମୋଦଙ୍କୁ କହି ଥିଲେଯେ, ତୁ ଅନ୍ୟ ସିଙ୍ଗରଙ୍କ ପାଇଁ ଗୀତ ଲେଖିଲୁ ବୋଲି ତୋର ଏ ଅବସ୍ଥା । ଏହାପରେ ହ୍ୟୁମାନ ତାଙ୍କ ସହଯୋଗୀମାନଙ୍କୁ ନିର୍ଦେଶ ଦେଇଥିଲେ ପ୍ରମୋଦକୁ ଜୀବନରୁ ମାରି ଦେବା ପାଇଁ । ସୌଭାଗ୍ୟବଶତଃ କିଛି ସାମ୍ବାଦିକ ଏହି ଘଟଣା ଜାଣିବା ପରେ ପ୍ରମୋଦଙ୍କୁ ହ୍ୟୁମାନଙ୍କ ଗୁଣ୍ଡାମାନେ ଛାଡି ଦେଇ ଥିଲେ । ହେଲେ ସେତେବେଳକୁ ପ୍ରମୋଦ ଖୁବ ଅସୁସ୍ଥ ହେଇ ପଡିଥିଲେ । ପରେ ପୋଲିସ ପ୍ରମୋଦଙ୍କ ପ୍ରାଥମିକ ଚିକିତ୍ସା କରି ଛାଡି ଦେଇ ଥିଲେ ।

ଏହି ଘଟଣାର ସିସି ଟିଭି ଫୂଟେଜ ମଧ୍ୟ ପୋଲିସ ଜବତ କରିଛି । ହେଲେ ଆଜି ଯାଏ ପୋଲିସର ହାତ ଖାଲି । ନା ହ୍ୟୁମାନ ନା ତାଙ୍କ ଗୁଣ୍ଡା କାହାରିକୁ ମଧ୍ୟ ଗିରଫ କରାଯାଇ ନାହିଁ । ତେବେ ପ୍ରଶ୍ନ ଉଠୁଛି, ବାଦାମବାଡ଼ି ଥାନାରୁ ମାତ୍ର 300 ମିଟର ଦୂରରେ ଦିନ ଦ୍ୱୀପହରେ ଯଦି ଏଭଳି ସଂଗଠିତ ଅପରାଧ ଘଟେ ତେବେ କଟକ ଭୁବନେଶ୍ୱରର ଆଇନ ଶୃଙ୍ଖଳା ପରିସ୍ଥିତି କେତେ ବିପର୍ଯ୍ୟସ୍ଥ ତାହା ଜଳ ଜଳ ଦିଶୁଛି । ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ଥିବା ବେଳେ ଏପରି ଏକ ଘଟଣା ସହରବାସୀଙ୍କୁ ଆତଙ୍କିତ କରିଛି ।

 

Get real time updates directly on you device, subscribe now.