fbpx

ହିନ୍ଦୁ ଦୁନିଆର ସବୁଠୁ ସଭ୍ୟ ଓ ସହନଶୀଳ ବହୁସଂଖ୍ୟକ, ଭାରତ କେବେ ଆଫଗାନିସ୍ତାନ ହୋଇ ପାରିବ ନାହିଁ : ଜାଭେଦ ଅଖତର

ମୁମ୍ବାଇ : ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ) ଓ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି)ର ତୂଳନା ତାଲିବାନ ସହ କରି ବିବାଦ ଘେରରେ ଥିବା ଗୀତିକାର ଜାଭେଦ ଅଖତର ଶିବସେନାର ମୁଖପତ୍ର ସାମନାରେ ଏକ ଲେଖା ଲେଖି ସ୍ପଷ୍ଟୀକରଣ ଦେଇଛନ୍ତି । ସେ ନିଜ ଲେଖାରେ ହିନ୍ଦୁକୁ ଦୁନିଆର ସବୁଠୁ ସଭ୍ୟ ଏବଂ ସହିଷ୍ଣୁ ବହୁସଂଖ୍ୟକ ଦର୍ଶାଇଛନ୍ତି । ସେ ଲେଖିଛନ୍ତି ତାଲିବାନ ଶାସନାଧୀନ ଆଫଗାନିସ୍ତାନର ତୂଳନା ଭାରତ ସହ କେବେ ବି କରାଯାଇ ପାରିବ ନାହିଁ । ସେ ଭାରତୀୟଙ୍କୁ ନରମ ବିଚାରଧାରା କହିଛନ୍ତି ।

ଜାଭେଦ ଅଖତର ଲେଖିଛନ୍ତି, ମୁଁ ଏହାକୁ ବାରମ୍ବାର ଦୋହରାଉଛି ଏବଂ ଏହା ଉପରେ ଜୋର ଦେଉଛି ଯେ, ଭାରତ କେବେ ବି ଆଫଗାନିସ୍ତାନ ପାଲଟିବ ନାହିଁ । କାରଣ ଭାରତୀୟ ସ୍ୱଭାବରେ ଚରମପନ୍ଥୀ ନୁହନ୍ତି । ସ୍ୱାଭାବିକ ଏବଂ ଶାନ୍ତ ରହିବା ସେମାନଙ୍କର ଡିଏନଏରେ ରହିଛି ।

ଅଖତର ଆଗକୁ ଲେଖିଛନ୍ତି, ତାଙ୍କ ପ୍ରତି ଆଲୋଚକମାନେ ଏଥିପାଇଁ ଅସନ୍ତୁଷ୍ଟ ଯେ, ସେ ତାଲିବାନ ଓ ଦକ୍ଷିଣପନ୍ଥୀ ହିନ୍ଦୁ ବିଚାରଧାରାରେ ଅନେକ ସମାନତା ଦର୍ଶାଇଥିଲେ । ଏହା ଠିକ୍ ଯେ, ତାଲିବାନ ଧର୍ମ ଆଧାରରେ ଇସଲାମିକ ସରକାର ଗଠନ କରୁଛି ଏବଂ ହିନ୍ଦୁ ଦକ୍ଷିଣପନ୍ଥୀ ହିନ୍ଦୁ ରାଷ୍ଟ୍ର ଗଠନ କରିବାକୁ ଚାହାନ୍ତି । ତାଲିବାନ ମହିଳାଙ୍କ ଅଧିକାର ଉପରେ ରୋକ୍ ଲଗାଇ ସେମାନଙ୍କୁ ଦମନ କରିବାକୁ ଚାହୁଁଛି ଏବଂ ହିନ୍ଦୁ ଦକ୍ଷିଣପନ୍ଥୀ ମଧ୍ୟ ମହିଳା ଏବଂ ଝିଅଙ୍କ ସ୍ୱାଧୀନତା ପକ୍ଷରେ ନାହାନ୍ତି ।

ସୂଚନାଯୋଗ୍ୟ, ଜାଭେଦ ଅଖତର ତାଲିବାନ ସହ ଆରଏସଏସର ତୂଲନା କରିବା ନେଇ ଶିବସେନା ଅସନ୍ତୁଷ୍ଟ ପ୍ରକାଶ କରିଥିଲା । ଶିବସେନା ଅଖତରଙ୍କୁ ଜବାବ ଦେଇ କହିଥିଲା ଯେ, ଯଦି ଆରଏସଏସ ତାଲିବାନୀ ବିଚାରଧାରାର ହୋଇଥାନ୍ତା ତେବେ ତିନି ତଲାକ ବିରୋଧରେ ଆଇନ ହୋଇନଥାନ୍ତା । ଲକ୍ଷାଧିକ ମୁସଲିମ ମହିଳାଙ୍କୁ ସ୍ୱାଧୀନତା ମିଳିନଥାନ୍ତା । ଶିବସେନା ଏହା ମଧ୍ୟ କହିଥିଲା ଯେ, ଦେଶରେ ବହୁସଂଖ୍ୟକଙ୍କ ସ୍ୱର ଚପାନଯାଉ ।

Get real time updates directly on you device, subscribe now.