fbpx

ଜୟନାରାୟଣ ମିଶ୍ର ନୂଆ ବିରୋଧୀ ଦଳ ନେତା, ଘୋଷଣା କଲା BJP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ବିଜେପି ପକ୍ଷରୁ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଭାବେ ଚୟନ କରାଯାଇଛି । ପୂର୍ବରୁ ବିରୋଧୀ ଦଳ ନେତା ଦାୟିତ୍ୱରେ ଥିବା ପ୍ରଦୀପ୍ତ ନାଏକ ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ଗୃହରେ ଅନୁପସ୍ଥିତ ରହିଥିଲେ । ତେଣୁ ବିଜେପି ବିଧାୟକମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରି ଏନେଇ ଆଲୋଚନା କରିଥିଲେ ।

ଗତ ୨୦୧୯ ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ କଂଗ୍ରେସକୁ ବ୍ୟାକଫୁଟକୁ ଠେଲି ବିଜେପି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲା । ତେବେ ସେ ସମୟରେ ବିରୋଧୀ ଦଳ ନେତା ରେସରେ ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ, ମୋହନ ମାଝୀ, ପ୍ରଦୀପ୍ତ ନାଏକ ରହିଥିଲେ । ଶେଷରେ ପ୍ରଦୀପ୍ତଙ୍କ ଉପରେ ଆସ୍ଥା ସ୍ଥାପନ କରିଥିଲେ ଦଳର ହାଇକମାଣ୍ଡ ।

ଗତବର୍ଷ ମେ ମାସରେ ବିରୋଧୀ ଦଳ ନେତା ଶ୍ରୀ ନାଏକ କୋଭିଡ୍ରେ ଆକ୍ରାନ୍ତ ହୋଇଥିଲେ । ଫଳରେ ସେ ଦୀର୍ଘଦିନ ଧରି ଏମ୍ସରେ ଚିକିତ୍ସିତ ହେଉଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗୃହର ଅଧିକାଂଶ ଅଧିବେଶନରେ ସେ ଯୋଗ ଦେଇ ପାରିନଥିଲେ । ବିରୋଧୀ ଦଳ ନେତାଙ୍କ ଅଭାବରେ ବିଜେପି ବିଧାନସଭାରେ ନେତାବିହୀନ ହୋଇପଡ଼ିଥିଲା । ଶେଷରେ ଏନେଇ ଦଳର ଶୀର୍ଷ ନେତୃତ୍ୱ ତର୍ଜମା କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟନାରାୟଣଙ୍କ ନାମ ଘୋଷଣା କରାଯାଇଥିଲା । ସେଠାରେ ବିଜେପି ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ପ୍ରମୁଖ ଉପସ୍ଥିତ ଥିଲେ । ତେବେ ନିଜର ଗୁରୁ ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ।

Get real time updates directly on you device, subscribe now.