fbpx
BJD SKY
BJD SKY

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା ଆରମ୍ଭ କଲା ED

BJD

ରାଞ୍ଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀଙ୍କ ବୟାନ ରେକର୍ଡ କରିବା ପାଇଁ ଇଡିର ୮ ଜଣିଆ ଟିମ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ଅପରାହ୍ନ ୨ଟା ପରେ ଏହି ଟିମ୍ ବିଭିନ୍ନ ଗାଡ଼ିରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲା। ଝାଡ଼ଖଣ୍ଡ ପୁଲିସ ତାଙ୍କୁ ନିଜ ସୁରକ୍ଷା ବଳୟ ରେ ଆଣିଥିଲା। ତାଙ୍କ ସହ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା।

ଇଡି ଅଧିକାରୀମାନଙ୍କୁ ମଧ୍ୟ ସେଠାରେ ପ୍ରବେଶ କରିବା ପୂର୍ବରୁ ସୁରକ୍ଷା ଯାଞ୍ଚର ଔପଚାରିକତା ପୂରଣ କରିବାକୁ ପଡ଼ିଥିଲା। ଏହି ସମୟରେ ଇଡି କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ରାଜଭବନ ସମେତ ସମସ୍ତ ପ୍ରମୁଖ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଅର୍ଥ ସଚିବଙ୍କ ନେତୃତ୍ୱରେ ତିନି ଜଣ ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ରାଜଧାନୀ ରାଞ୍ଚିର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ଏମାନଙ୍କ ମଧ୍ୟରେ ୨ ଜଣ ଆଇଏଏସ୍ ଓ ଜଣେ ଆଇପିଏସ୍ ଅଧିକାରୀ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ରାଜଭବନ ଓ ଇଡି କାର୍ଯ୍ୟାଳୟ ନିକଟରେ ଆଜି ସକାଳୁ ସିଆରପିସିର ଧାରା ୧୪୪ ଅନୁଯାୟୀ କଟକଣା ଜାରି କରାଯାଇଛି। ରାତି ୯ଟା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ।

ସହରରେ ପାଖାପାଖି ଏକ ହଜାର ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଉଥିବା ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ସେମାନଙ୍କୁ ବିକଳ୍ପ ମାର୍ଗ ଦେଇ ଯିବାକୁ ଅନୁମତି ଦିଆଯାଉଛି। ସେପଟେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ବିଭିନ୍ନ କର୍ମୀ ଏକ ଶୋଭାଯାତ୍ରାରେ ରାଜଭବନ ଅଭିମୁଖେ ବାହାରିଥିଲେ। ସେମାନଙ୍କୁ ରାଜଭବନ ସମ୍ମୁଖରେ ଅଟକାଇ ଦିଆଯାଇଥିଲା। ସେମାନେ ମୋରାବାଡ଼ି ପଡ଼ିଆରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

Get real time updates directly on you device, subscribe now.