fbpx

ଆଜି ଝାଡ଼ଖଣ୍ଡ ବନ୍ଦ, ଆଦିବାସୀ ସଂଘ ପକ୍ଷରୁ ବିରୋଧ

AAKASH

ରାଞ୍ଚି: ଆଜି ଆଦିବାସୀ ସଂଘ ପକ୍ଷରୁ ଝାଡ଼ଖଣ୍ଡ ବନ୍ଦ ପାଳନ କରାଯିବ । ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବୁଧବାର ଗିରଫ କରିଥିଲା । ଏନେଇ ଆଦିବାସୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗିରଫକୁ ବିରୋଧ କରାଯାଇଛି । ଆଜି ସେରେନଙ୍କୁ କୋର୍ଟରେ ହାଜର କରାଯିବ ।

ହେମନ୍ତ ସେରେନଙ୍କ ଗିରଫ ପରେ ଝାଡ଼ଖଣ୍ଡ ରାଜନୀତିରେ ହଟଚମଟ ଦେଖିବାକୁ ମିଳିଛି । ଜମି ଦୁର୍ନୀତି ମାମଲାରେ ୭ଘଣ୍ଟାର ମାରାଥନ ଜେରା ପରେ ହେମନ୍ତ ସୋରେନଙ୍କୁ ବାନ୍ଧିଛି ଇଡି । ଆଜି ହେମନ୍ତଙ୍କୁ ସ୍ପେଶାଲ କୋର୍ଟରେ ହାଜର କରିବା ସହିତ ୭ଦିନିଆ ରିମାଣ୍ଡ ପାଇଁ ଆବେଦନ କରିପାରେ ଇଡି । ସେପଟେ ଇଡି ବିପକ୍ଷରେ ହେମନ୍ତ ସୋରେନ ହାଇକୋର୍ଟରେ ଦାଖଲ କରିଥିବା ଯାଚିକା ଉପରେ ମଧ୍ୟ ସକାଳ ୧୦ଟାରେ ଶୁଣାଣି ହୋଇପାରେ । ଜେରା ପୂର୍ବରୁ ହେମନ୍ତ ସୋରେନ୍ ଇଡି ଅଧିକାରୀଙ୍କ ସହ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ପରେ ହେମନ୍ତ ସୋରେନ ବାସଭବନକୁ ଫେରିଥିବା ବେଳେ ଇଡି ତାଙ୍କୁ ଗିରଫ କରିଥିଲା । ଗିରଫ ପରେ ହେମନ୍ତ ସୋରେନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଗକୁ ନିର୍ବାଚନ ଆସୁଥିବା ବେଳେ ଇଡିକୁ ଅସ୍ତ୍ର କରି ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଆଣିଛନ୍ତି । ସେପଟେ ଏସସି/ ଏସଟି ଆକ୍ଟରେ ହେମନ୍ତ ସୋରେନ ତାଙ୍କ ବାସଭବନରେ ଚଢାଉ କରିଥିବା ୪ଜଣ ଇଡି ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ମାନହାନୀ ନେଇ ବିଜେପି ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ଚେତାବନୀ ଦେଇଛି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ।

ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଚମ୍ପଇ ସୋରେନ । ଜେଏମଏମ ପକ୍ଷରୁ ତାଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି । ଚମ୍ପଇ ସୋରେନ ହେମନ୍ତ ସୋରେନଙ୍କ ଘନିଷ୍ଠ ହୋଇଥିବା ବେଳେ ବର୍ତ୍ତମାନ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଝାଡ଼ଖଣ୍ଡ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ତୁଲାଇଥିବା ଏହି ନେତା ଝାଡ଼ଖଣ୍ଡ ଟାଇଗର ଭାବେ ମଧ୍ୟ ବେଶ ପରିଚିତ ।

Get real time updates directly on you device, subscribe now.