ନେତା ଅଭିନେତ୍ରୀ ସୁପର ଯୋଡି

ଭୁବନେଶ୍ୱର, (ଓଡିଶା ଭାସ୍କର): ଓଲିଉଡ୍ ର ନାମକରା ଅଭିନେତ୍ରୀ ବଙ୍ଗାଳୀ ଝିଅ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ହାତ ଧରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ(ଡ୍ୟାନି) । ବୁଧବାର ଦିନ ରାଜସ୍ଥାନର ଏକ ହୋଟେଲ୍ ରେ ସେମାନଙ୍କର ବିବାହ ହୋଇଥିବା ଜଣାପଡ଼ିଛି । ବାହାରକୁ ଗୋପନ ରଖାଯାଇ କେବଳ ପରିବାରବର୍ଗ ଓ ଆତ୍ମୀୟସ୍ୱଜନଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିଲା । ସୋସିଆଲ୍ ମିଡ଼ିଆରେ ଏହାର ଫଟୋ ଭାଇରାଲ୍ ହୋଇଥିଲେ ମଧ୍ୟ ଡ୍ୟାନି ଙ୍କ ପକ୍ଷରୁ ଆଶ୍ଚର୍ଯ୍ୟଜନକ ଭାବେ ବିବାହକୁ ଏଯାଏଁ ସ୍ୱୀକାର କରାଯାଇନାହିଁ । ତେବେ ବିବାହର ଫଟୋକୁ ଆଜି ସକାଳୁ ନିଜ ଫେସବୁକ୍ ରେ ଛାଡ଼ିଛନ୍ତି ଝିଲିକ୍ । ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ସମସ୍ତଙ୍କର ଆଶିର୍ବାଦ ଲୋଡ଼ିଛନ୍ତି ।

ଝିଲିକ୍ ଙ୍କୁ ଡ୍ୟାନି ବିବାହ କରୁଥିବା ନେଇ ମାସକ ତଳୁ ଖବର ଆସିଥିଲା । ମାତ୍ର ଡ୍ୟାନି ରୋକଠୋକ୍ ଏହାକୁ ଅସ୍ୱୀକାର କରିଥିଲେ । ଏପରିକି ନିଜ ଦଳର ଖାସ୍ ବନ୍ଧୁ ଓ ସହଯୋଗୀମାନଙ୍କ ଆଗରେ ତାଙ୍କ ବିବାହ ଚର୍ଚ୍ଚାକୁ ମିଛ ଏବଂ ମନଗଢ଼ା କହିଥିଲେ । ଅନ୍ୟପକ୍ଷରେ ଡ୍ୟାନିଙ୍କ ସହ ବିବାହ ଚର୍ଚ୍ଚାକୁ ଅଭିନେତ୍ରୀ ଝିଲିକ୍ ଅସ୍ୱୀକାର ନ କରି ନିରବ ରହିବା ପରେ ସସପେନସ୍ ବଢ଼ିଥିଲା ।


ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କାହାରିକୁ ସୁରାକ୍ ନ ଦେଇ ଡ୍ୟାନି- ଝିଲିକ୍ ଙ୍କ ପରିବାର ରାଜସ୍ଥାନ ଚାଲିଯାଇ ଏକ ହୋଟେଲ୍ ରେ ଗତକାଲି ଉଭୟଙ୍କ ବିବାହ କରାଇଥିଲେ । ଡ୍ୟାନିଙ୍କ ବାପା ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ସେଠାରେ ଉପସ୍ଥିତ ରହି ବିବାହର ତଦାରଖ କରିଥିଲେ । ବିବାହ ଉତ୍ସବକୁ ଗୋପନୀୟ ରଖାଯାଇଥିଲେ ମଧ୍ୟ ଏହାର ଫଟୋ ସୋସିଆଲ୍ ମିଡ଼ିଆକୁ ଚାଲି ଆସିବା ପରେ ଘଟଣା ପ୍ରଘଟ ହୋଇଥିଲା । ବାହାଘରର ବିଭିନ୍ନ ଫଟୋ କାଲିଠାରୁ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା ।

Get real time updates directly on you device, subscribe now.