fbpx

ଅତ୍ୟନ୍ତ ଜଘନ୍ୟ, ୭ ମାସର ଶିଶୁ ସହ ପରିବାରର ୪ ଜଣଙ୍କୁ ଗଳାକାଟି ହତ୍ୟା କରିବା ପରେ ନିଆଁରେ ପୋଡିଦେଲା ଦୁର୍ବୃତ୍ତ

ଜୟପୁର:ରାଜସ୍ଥାନର ଯୋଧପୁରରେ ଗୋଟିଏ ପରିବାରର ୪ ଜଣଙ୍କୁ ଗଳା କାଟି ହତ୍ୟା କରାଯାଇଛି । ହତ୍ୟା କରିବା ପରେ ହତ୍ୟାକାରୀ ଶବକୁ ଜଳାଇବାକୁ ମଧ୍ୟ ଚେଷ୍ଟା କରିଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ଜଣେ ପୁରୁଷ ଓ ଏକ ୭ ମାସର ଏକ ଶିଶୁ ରହିଛି । ଆଜି ସକାଳେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଏକ ଦଉଡିଆ ଖଟରେ ଶୋଇଥିବା ୪ ଜଣ ଲୋକଙ୍କ ଗଳା କାଟି ହତ୍ୟା କରାଯାଇଛି । ଏହାପରେ ଶବକୁ ନିଆଁ ଲଗାଇ ଦିଆଯାଇଛି ।

ପୋଲିସ ସୂଚନା ଅନୁଯାୟୀ ଓସିଆଁ ଥାନା ଅନ୍ତର୍ଗତ ରାମନଗର ଗ୍ରାମ ପଞ୍ଚାୟତର ଗଙ୍ଗାଣିଓ ଢାଣିରେ ରହୁଥିବା ଏକ ପରିବାରର ୪ ସଦସ୍ୟଙ୍କ ମୃତଦେହ ବୁଧବାର ସକାଳେ ଜବତ କରାଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ପରିବାରର ମୁଖିଆ ପୁନାରାମ ବ୍ୟାରେଡ, ପତ୍ନୀ ଭଉଁରୀ ଦେବୀ, ବୋହୂ ଧାପୁ ଓ ୭ ମାସର ଶିଶୁ ପୁତ୍ର । ପୋଲିସ କହିଛି ହତ୍ୟା କରିସାରିବା ପରେ ହତ୍ୟାକାରୀ ସମସ୍ତ ମୃତଦେହକୁ ଜଳାଇବାକୁ ଚେଷ୍ଟା କରିଥିଲା । ହତ୍ୟାକାରୀ ଅତ୍ୟନ୍ତ ଜଘନ୍ୟ ଭାବରେ ଏହି ହତ୍ୟାକାଣ୍ଡ ଭିଆଇଛି । ପୋଲିସ କହିଛି ୭ ମାସ ଶିଶୁର ଶବ ପୁରା ଜଳିଯାଇଥିବା ବେଳେ ଅନ୍ୟ ସମସ୍ତ ଶବ ଅଧାଜଳା ରହିଛି । ଏବେ ଘଟଣାସ୍ଥଳରେ ଯୋଧପୁରର ଜିଲ୍ଲାପାଳଙ୍କ ସହିତ ବହୁ ଉଚ୍ଚସ୍ତରୀୟ ଅଧିକାରୀ ପହଞ୍ଚିଛନ୍ତି । ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି । ତେବେ ହତ୍ୟାକାରୀ ବିଷୟରେ କିଛି ସୁରାକ ମିଳି ନ ଥିବା ବେଳେ ହତ୍ୟାକାଣ୍ଡର କାରଣ ବି କିଛି ଜଣାପଡିନାହିଁ ।

Get real time updates directly on you device, subscribe now.