fbpx

ୟୁଏନ ପର୍ଯ୍ୟନ୍ତ ପହଞ୍ଚିଲା ଯୋଧପୁର ହିଂସା ମାମଲା, ସରକାରଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କଲେ ମହାସଚିବ

Advertisement

ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରେ ଦୁଇ ସଂପ୍ରଦାୟ ମଧ୍ୟରେ ଘଟିଥିବା ହିଂସାକାଣ୍ଡ ମାମଲା ମିଳିତ ଜାତିସଂଘରେ ଯାଇ ପହଞ୍ଚିଛି। ୟୁଏନର ମୁଖପାତ୍ର ବୁଧବାର ଭାରତ ସରକାର ଏବଂ ଏଜେନ୍ସିଙ୍କୁ ସହରରେ ଶାନ୍ତି ଏବଂ ସଦଭାବନା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଅ ଗୁଟେରସଙ୍କ କାର୍ଯ୍ୟାଳୟ ସହରରେ ସବୁ ସମୁଦାୟ ଏକାଠି ମିଳିମିଶି କାମ କରିବାକୁ ଅପିଲ୍ କରିଛନ୍ତି। ଇଦର ଅବ୍ୟବେହିତ ପୂର୍ବରୁ ସହରରେ ଦୁଇ ସଂପ୍ରଦାୟ ମଧ୍ୟରେ ଭୀଷଣ ହିଂସାକାଣ୍ଡ ହୋଇଥିଲା। ପୋଲିସ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ଇଣ୍ଡରନେଟ୍ ମଧ୍ୟ ବନ୍ଦ କରାଯାଇଥିଲା।

ଇଦ ଠିକ୍ ପୂର୍ବରୁ ଘଟିଥିବା ହିଂସାକୁ ନେଇ ପଚରା ଯାଇଥିବା ପ୍ରଶ୍ନ ଉପରେ ମହାସଚିବଙ୍କ ମୁଖପାତ୍ର କହିଛନ୍ତି, ଆମେ ଆଶା କରୁଛୁ ଯେ, ସବୁ ସମୁଦାୟର ଲୋକେ ଏକାଠି ମିଶି କାମ କରିବେ। ସରକାର ଏବଂ ସୁରକ୍ଷା ବଳ ସୁନିଶ୍ଚିତ କରିବେ ଯେ, ସମସ୍ତେ ଶାନ୍ତିର ସହ ଉତ୍ସବ ପାଳନ କରିବେ। ଯୋଧପୁର ହିଂସାରେ ପାଞ୍ଚ ପୋଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି।

ବୁଧବାର ମଧ୍ୟ ଜିଲ୍ଲାରେ ବ୍ୟାପକ ସଂଖ୍ୟାରେ ପୋଲିସ ବଳ ମୁତୟନ କରାଯାଇଛି। କର୍ଫ୍ୟୁକୁ କଡାକଡି ପାଳନ କରାଯାଉଛ। ଜିଲ୍ଲାରେ ଛୋଟ ମୋଟ ଘଟଣା ଉପରେ ମଧ୍ୟ କଡା ନଜର ରଖାଯାଇଛି। ଏ ପର‌୍ୟ୍ୟନ୍ତ ହିଂସାରେ ୯୭ ଜଣଙ୍କୁ ଗିରଫ କରାଯାଇଛି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଙ୍ଗଳବାର ହିଂସାକୁ ଦୁର୍ଭାଗ୍ୟପୂର୍ଣ୍ଣ ଦର୍ଶାଇଥିଲେ। ସେ ଅଧିକାରୀଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଦୁର୍ଭାଗ୍ୟପୂର୍ଣ୍ଣ। ପ୍ରଶାସନକୁ ଶାନ୍ତି ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଆଦେଶ ଦିଆଯାଇଛି। ସେ ଅଭିଯୋଗ କରିଥିଲେ ଯେ, ହିଂସା ଉସୁକାଇବାରେ ଭାରତୀୟ ଜନତା ପାର୍ଟିର ହାତ ରହିଛି।

 

Get real time updates directly on you device, subscribe now.