ଖୋର୍ଦ୍ଧା: ଭୁବନେଶ୍ୱର ଗଙ୍ଗପଡ଼ାସ୍ଥିତ ଜୁପିଟର ପବ୍ଲିକ୍ ସ୍କୁଲ ଏହାର ବହୁ ପ୍ରତୀକ୍ଷିତ ବାର୍ଷିକ ଉତ୍ସବ ‘ପାଥେୟମ୍’ ଏକ ସୃଜନଶୀଳତାର ବାର୍ତ୍ତା ଦେଇ ପାଳନ କରିଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ କୁମାର ରାଣା , ମୁଖ୍ୟ ବକ୍ତା ନାଇଜର ରେଜିଷ୍ଟ୍ରାର୍ ଡକ୍ଟର ଅଭୟ କୁମାର ନାୟକ, ସମ୍ମାନନୀୟ ଅତିଥି ଭାବେ ଜୁପିଟର ଗ୍ରୁପର ସଭାପତି ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପଣ୍ଡା, ଉପ-ସଭାପତି ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ପାତ୍ର, ନିର୍ଦେଶକ ବିଶ୍ୱନାଥ ପଣ୍ଡା, ଏକାଡେମୀ ନିର୍ଦେଶକ ଶ୍ରୀଯୁକ୍ତ କେ. ଭରତଚନ୍ଦ୍ର କଳାପାହାଡ, ସ୍କୁଲର ନିର୍ଦ୍ଦେଶିକା ଶ୍ରୀମତୀ ସାଗରୀକା ପଣ୍ଡା ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
ଅଭିଭାବକମାନଙ୍କ ଉପସ୍ଥିତି ଓ ଶିକ୍ଷକ , ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ କୁନିକୁନି ପିଲାମାନଙ୍କର କୃଷ୍ଣଲୀଳା ଅଭିନୟ, ମହାଭାରତର ଦ୍ରୌପଦୀ ବସ୍ତ୍ରହରଣ, ସାଂସ୍କୃତିକ ନୃତ୍ୟ ଗୀତର ମୂର୍ଚ୍ଛନାରେ ସ୍କୁଲର ପରିସର ଉତ୍ସବମୁଖର ହୋଇଉଠିଥିଲା । ଅଧ୍ୟକ୍ଷା ଶ୍ରୀମତୀ ନିରୂପମା ପାତ୍ର ସ୍କୁଲର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଶ୍ରୀଯୁକ୍ତ ରାଣା ବିଦ୍ୟାଳୟର ଉଦ୍ୟମକୁ ପ୍ରଶଂସା କରି ସାମଗ୍ରିକ ଶିକ୍ଷାର ଅଭିବୃଦ୍ଧି ନିମନ୍ତେ ଆହ୍ବାନ ଦେଇଛନ୍ତି ଏବଂ ଡକ୍ଟର ନାୟକ ନୂତନତ୍ଵର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ । ଏହି ଅବସରରେ ଅତିଥିମାନେ ସ୍କୁଲର କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ପ୍ରଦାନ କରିଥିଲେ । ଉତ୍ସବଟି ସାଫଲ୍ୟ ମଣ୍ଡିତ ହୋଇଥିବାରୁ ଗ୍ରୁପର ସଭାପତି ଶ୍ରୀଯୁକ୍ତ ପଣ୍ଡା ଏବଂ ନିର୍ଦ୍ଦେଶକ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଆହୁରି ଆଗକୁ ଯିବାକୁ ଉତ୍ସାହିତ କରିଥିଲେ ।