fbpx

ଲୋକପ୍ରିୟ କନ୍ନଡ଼ ଅଭିନେତା କେ.ଶିବରାମଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଫିସର ତଥା ଲୋକପ୍ରିୟ କନ୍ନଡ଼ ଅଭିନେତା କେ.ଶିବରାମ ବେଙ୍ଗାଲୁର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୧ବର୍ଷ ବୟସ ହୋଇଥିଲା। ତେବ ଏହି ଖବର କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ଓ ତାଙ୍କ ପ୍ରଶଂସକ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଶିବରାମଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା। ଏଣୁ ତାଙ୍କୁ ଏଚସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବୁଧବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ଗୁରୁବାର ତାଙ୍କର ଦେହାନ୍ତ ଘଟିଛି।

ସୂଚନା ଥାଉକି, ୧୯୫୩ ମସିହା ଏପ୍ରିଲ ୬ ତାରିଖରେ ରାମନଗର ଜିଲ୍ଲାର ଉରୁଗାୱାଲୀ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶିବରାମ ବିଭିନ୍ନ କ୍ଷେତ୍ରରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡି ଗୋଟିଏ ବିବିଧ ଜୀବନ ବିତାଇଥିଲେ। ସେ ଏକାଧାରରେ ଜଣେ ଆଇଏଏସ୍ ଅଫିସର, ଅଭିନେତା ଓ ରାଜନେତା ଭାବେ କାମ କରିଛନ୍ତି। ତେବେ ଆଇଏଏସ ହେବା ପରେ ବିଜୟପୁରା, ବେଙ୍ଗାଲୁରୁ, ମହୀସୁର, କୋପାଲା ଏବଂ ଦାବଣଗେରେରେ ପୋଷ୍ଟିଂ ହୋଇ ଦାୟିତ୍ୱ ତୁଲାଇଥିଲେ। ଏହା ପରେ ସେ କନ୍ନଡ଼ ଫିଲ୍ମ ‘ବା ନଲ୍ଲେ ମଧୁଚନ୍ଦ୍ରାକେ’ ଜରିଆରେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଆସି ଲୋକପ୍ରିୟ ହୋଇଥିଲେ କେ.ଶିବରାମ।

ସେହିପରି ୨୦୧୩ରେ ସେ ଅଭିନୟ ଜଗତରୁ ଦୂରେଇ ଯାଇ ରାଜନୀତି ଜଗତରେ ପାଦ ଥାପିଥିଲେ। ପ୍ରଥମକରି ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଏବଂ ୨୦୧୪ରେ ବିଜୟପୁରାରୁ କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେଥିରେ ସେ ବିଜୟୀ ହୋଇପାରିନଥି‌ଲେ। ଆଉ ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ।

Get real time updates directly on you device, subscribe now.