fbpx

କଳିଯୁଗର ଏକଲବ୍ୟ: ଦଶ ବର୍ଷ ହେଲାଣି ବୋହୁଛନ୍ତି ଗୁରୁଙ୍କୁ

ପୁରୀ: କଳିଯୁଗରେ ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କ କେବଳ ପଇସାରେ ସୀମିତ କହିଲେ ଚଳେ । ପୁରାତନ ଯୁଗରେ ଯେପରି ଗୁରୁମାନେ ଶିଷ୍ୟମାନଙ୍କୁ ଶିକ୍ଷା ଦାନ କରୁଥିଲେ ତାହା ବର୍ତ୍ତମାନ ଯୁଗରେ ଆଉ ଦେଖିବାକୁ ମିଳୁନାହିଁ । ଆଧୁନିକ ଯୁଗରେ ସବୁ ଅନଲାଇନ ହୋଇ ଗଲାଣି । ଗୁରୁଶିଷ୍ୟ ସମ୍ପର୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ପୁରାତନ ଯୁଗରେ ଶିଷ୍ୟମାନେ ଘର ଠାରୁ ବର୍ଷ ବର୍ଷ କାଳ ଦୂରରେ ରହି ଗୁରୁମାନଙ୍କ ନିକଟରେ ଶିକ୍ଷା ଗ୍ରହଣ କରୁଥିଲେ । କିନ୍ତୁ ବର୍ତ୍ତମାନର ସମୟରେ ଶିକ୍ଷା ନାମରେ ଚାଲିଛି କେବଳ ଅନଲାଇନ ପାଠ ପଢା । କିନ୍ତୁ ଏହି କଳିଯୁଗରେ ଜଣେ ଶିଷ୍ୟ ଏକଲବ୍ୟ ଭଳି ନିଷ୍ଠାର ସହ ନିଜ ଜୀବନକୁ ଗୁରୁଙ୍କ ନିକଟରେ ସମର୍ପି ଦେଇଛନ୍ତି ।

କଳିଯୁଗରେ ଗୁରୁ ଓ ଶିଷ୍ୟଙ୍କ ଏହି ଅତୁଟ ସମ୍ପର୍କ ପୁରୀ ଅସ୍ତରଙ୍ଗ ଜିଲ୍ଲାରେ ଦେଖିବାକୁ ମିଳିଛି । ଶିଷ୍ୟ ନିଜ ଜୀବନର ଦଶ ବର୍ଷ ଗୁରୁଙ୍କ ପାଦ ତଳେ ସମର୍ପି ଦେଇଛନ୍ତି । ରବିଦାସ ନାମକ ଜଣେ ଶିଷ୍ୟ ନିଜ ଗୁରୁଙ୍କ ପାଇଁ ଜୀବନକୁ ଉତ୍ସର୍ଗ କରି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି । ମହିମା ଧର୍ମର ପ୍ରଚାର କରିବା ପାଇଁ ଶିଷ୍ୟ ରବି ନିଜ ଗୁରୁଙ୍କୁ ପ୍ରତ୍ୟେକ ଦିନ ଏକ ଟଣା ଗାଡ଼ି ସାହାଯ୍ୟରେ ୨୦ ରୁ ୨୫ କିଲୋମିଟର ଟାଣି ଟାଣି ନେଇଥାନ୍ତି । ଗାଁ ଗାଁ ରେ ଗୁରୁବାଣୀ ପ୍ରଚାର ପ୍ରସାର କରିବା ପାଇଁ ଶିଷ୍ୟ ରବି ଦାସ ନିଜ ଗୁରୁଙ୍କୁ ବୋହି ନେଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଗୁରୁ ନରୋତ୍ତମ ଦାସ ମହିମା ଧର୍ମର ପ୍ରଚାର ପାଇଁ ସାରା ଦେଶ ଭ୍ରମଣ କରି ସାରିବା ପରେ ବର୍ତ୍ତମାନ ପୁରୀ ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ଗାଁରେ ବୁଲି ବୁଲି ସାଧାରଣ ଲୋକଙ୍କୁ ଧର୍ମ ସଚେତନ କରୁଛନ୍ତି । ପ୍ରତ୍ୟେକ ଦିନ ଖାଲି ପାଦରେ ଚାଲି ଚାଲି ନିଜ ଗୁରୁଙ୍କୁ ଟଣା ଗାଡ଼ିରେ ବୋହି ନେଇ ଧର୍ମ ପ୍ରଚାର କରନ୍ତି ରବି ଦାସ । ଗୁରୁଙ୍କ ବାର୍ଦ୍ଧକ୍ୟ ସମୟରେ ଆଶାର ବାଡ଼ି ଭଳି ରବି ଦାସ ଛିଡ଼ା ହୋଇଛନ୍ତି । ରବି ଦାସ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ଏଭଳି ଜଣେ ବିରଳ ଶିଷ୍ୟଙ୍କୁ ପାଇ ଗୁରୁ ନରୋତ୍ତମ ଦାସ ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି ।

 

Get real time updates directly on you device, subscribe now.