fbpx

Video; ରିଲିଜ୍ ହେଲା ‘କଲ୍କି ୨୮୯୮ ଏଡି’ର ୨ୟ ଟ୍ରେଲର, ଅମିତାଭ-ପ୍ରଭାସଙ୍କ ଜବରଦସ୍ତ ଆକ୍ସନ ସିନ୍

Advertisement

ମୁମ୍ୱାଇ: ସାଉଥ୍ ଇଣ୍ଡିଆ ସୁପରଷ୍ଟାର ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘କଲ୍କି ୨୮୯୮ ଏଡି’ର ରିଲିଜକୁ ଅପେକ୍ଷା କରିଛନ୍ତି ସିନେପ୍ରେମୀ। ପ୍ରତିଦିନ ଫିଲ୍ମ ସହ ଜଡିତ ଅପଡେଟ୍ ସାମ୍ନାକୁ ଆସୁଛି । ଦ୍ୱିତୀୟ ଟ୍ରେଲରରେ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ, ପ୍ରଭାସ ଏବଂ କମଲ ହାସନଙ୍କ ଚରିତ୍ରକୁ ଅଧିକ ଘନିଷ୍ଠ ଭାବେ ଦେଖିବାକୁ ମିଳିଛି । ଦୁଇ ମିନିଟ୍ ରୁ ଅଧିକ ସମୟ ଧରି ଚାଲିଥିବା ଏହି ଟ୍ରେଲରରେ କଲ୍କିଙ୍କ ଦୁନିଆ ଏବଂ ତାଙ୍କ କାହାଣୀ ବିଷୟରେ ଦର୍ଶାଯାଇଛି।

‘କଲ୍କି ୨୮୯୮ ଏଡି’ର ଦ୍ୱିତୀୟ ଟ୍ରେଲର ଆରମ୍ଭ ହେଉଛି ଅମିତାଭ ବଚ୍ଚନଙ୍କ ଚରିତ୍ର ଅଶ୍ୱତ୍ଥାମା, ଯିଏ ଦୀପିକା ପାଦୁକୋନଙ୍କ ଚରିତ୍ରକୁ ଶତ୍ରୁଙ୍କ ଠାରୁ ରକ୍ଷା କରୁଥିବାର ନଜର ଆସିଛନ୍ତି। ଏଥିରେ କହିଛନ୍ତି, “ସମଗ୍ର ସୃଷ୍ଟି ଭଗବାନଙ୍କ ଭିତରେ ବାସ କରେ ଏବଂ ଭଗବାନ ନିଜେ ତୁମ ଭିତରେ ଅଛନ୍ତି ।” ଏହାପରେ ଦୀପିକାଙ୍କ ସମେତ ଆହୁରି ଅନେକ ଚରିତ୍ର ଛୋଟ ଛୋଟ ସଂଳାପ ସହ ଭିନ୍ନ ଭିନ୍ନ ଦୃଶ୍ୟରେ ନଜର ଆସିଛନ୍ତି।

ଟ୍ରେଲରରେ ପ୍ରଭାସ ଏବଂ ଅମିତାଭ ବଚ୍ଚନଙ୍କ ମଧ୍ୟରେ ଯୁକ୍ତି ହେଉଥିବା ଦେଖିବାକୁ ମିଳିଛି। ଅନେକ ଦୃଶ୍ୟ ପରେ କମଲ ହାସନଙ୍କ ଚରିତ୍ରରୁ ମଧ୍ୟ ପରଦା ଉଠିଥିଲା। କମଲ ହାସନଙ୍କୁ ଚିହ୍ନିବା କଷ୍ଟକର। ସେ କହନ୍ତି, “ପିଢ଼ି ପିଢ଼ି ର ଅସୀମ ସୁଯୋଗ ସତ୍ତ୍ୱେ ମଣିଷ ବଦଳିନାହିଁ କି ବଦଳିବ ନାହିଁ। ”  ୨ ମିନିଟ୍ ୨୨ ସେକେଣ୍ଡର ଏହି ଟ୍ରେଲର ପରେ ଲାଗୁଛି ଏହି ଫିଲ୍ମ ବକ୍ସ ଅଫିସରେ ବଡ ହିଟ୍ ହେବ । ବୈଜୟନ୍ତୀ ମୁଭିଜ୍ ବ୍ୟାନରରେ ନିର୍ମିତ ‘କଲ୍କି ୨୮୯୮ ଏଡି’କୁ ଅଧିକ ବଜେଟରେ ନିର୍ମିତ ଚଳଚ୍ଚିତ୍ର ବୋଲି କୁହାଯାଉଛି।

୬୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫିଲ୍ମକୁ ଦେଶର ସବୁଠାରୁ ଦାମୀ ଫିଲ୍ମ କୁହାଯାଉଛି। ‘କଲ୍କି ୨୮୯୮ ଏଡି’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ଫିଲ୍ମଟି ଜୁନ୍ ୨୭ରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ, କନ୍ନଡ ଏବଂ ଇଂରାଜୀ ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ, କମଲ ହାସନ, ଦିଶା ପଟାନୀ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ।

 

Get real time updates directly on you device, subscribe now.