ଏତେ ପ୍ରଚାର ପରେ ବି କ’ଣ ପାଇଁ ଜିତିପାରିଲେନି କମଲା? ଲୁହ ବୁହାଇଲେ ସମର୍ଥକ…

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ହେବାରୁ ବଞ୍ଚିତ ହୋଇଛନ୍ତି କମଲା ହାରିସ୍ । ବୁଧବାର ଦେଶରେ ଦୁଇପ୍ରକାର ଛବି ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ଲୋକେ ଟ୍ରମ୍ପଙ୍କ ୨.o ଶାସନ ଆରମ୍ଭ ହେବା ନେଇ ସମର୍ଥକ ଖୁସି ମନାଉଥିବାବେଳେ ଅନ୍ୟପଟେ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସଙ୍କ ପରାଜୟରେ ମ୍ରିୟମାଣ ହୋଇ କାନ୍ଦୁଥିବାର ଦେଖାଯାଇଥିଲା । ଅଧିକ ଭୋଟ ବା ସମର୍ଥନ ମିଳିବା କାରଣରୁ ଟ୍ରମ୍ପ ଜିତିଥିବା ସୁନିଶ୍ଚିତ କିନ୍ତୁ କମଲାଙ୍କ ସରକାର ପୂର୍ବଥର ଶାସନରେ ଥାଇ ହାରିଯିବା ଚିନ୍ତା କରିବାର ପ୍ରସଙ୍ଗ । କିନ୍ତୁ ଏବେ ଚାରିଆଡ଼େ ଗୋଟିଏ କଥା ଚର୍ଚ୍ଚା ହେଉଛି ଯେ, କମଲା ଏକ ଇଣ୍ଟରଭିୟୁରେ ସଠିକ୍ ଉତ୍ତର ନ ଦେଇ ପାରିବାରୁ ଲୋକ ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଭୋଟ ଦେଇ ନାହାନ୍ତି ।


ନିର୍ବାଚନ ପୂର୍ବରୁ ଏ ନେଇ ପ୍ରଚାର ଚାଲିଥିବାବେଳେ, ଏବିସି ଚ୍ୟାନେଲର ‘ଦ ଭିୟୁ’ କାର୍ଯ୍ୟକ୍ରମରେ କମଲା ସାମିଲ ହୋଇଥିଲେ । ଯେଉଁଠାରେ ସେ ତାଙ୍କ ନିଜ ଲାଇଫ୍ ଷ୍ଟୋରୀ ସମ୍ପର୍କରେ କହି ଦର୍ଶକଙ୍କୁ ନିଜ ବିଷୟରେ ଅବଗତ କରାଇଥିଲେ । କିନ୍ତୁ ସେଥିରେ ଉପସ୍ଥାପକ ଆମେରିକା ରାଷ୍ଟ୍ରପତି ଉପରେ ଏକ ପ୍ରଶ୍ନ ପଚାରିଥିଲେ । ଯଦି କମଲା ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହୁଅନ୍ତି ତେବେ ସେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ କ’ଣ ଭିନ୍ନ କରିବେ । ଏହାର ଉତ୍ତରରେ କମଲା କହିଥିଲେ, ଏ ପ୍ରଶ୍ନକୁ ନେଇ ମୋ ମସ୍ତିଷ୍କରେ ଗୋଟିଏ ବି କଥା ଆସୁ ନାହିଁ  ।  ଏ ପ୍ରକାର ଉତ୍ତର ପାଇଁ କମଲା ହାରିଯାଇଥିବା ଏବେ ଆଲୋଚନା ହେଉଛି । ଦ ଭିୟୁ କାର୍ଯ୍ୟକ୍ରମ ବେଶ୍ ଲୋକପ୍ରିୟ ଓ ଆଦୃତ । ଆମେ କହିପାରିବା କମଲା ଯେତେବେଳେ ନିଜ କାର୍ଯ୍ୟଧାରାକୁ ନେଇ ସ୍ପଷ୍ଟ ନ ଥିଲେ ସେତେବେଳେ ଲୋକେ କେମିତି ତାଙ୍କୁ ଭୋଟ ଦେଇ ଶାସନ ଭାର ଦେବେ ବୋଲି ଦ୍ୱନ୍ଦ୍ୱରେ ପଡ଼ିଥିବେ ।

୪ ବର୍ଷଧରି ଡେମୋକ୍ରାଟିକ୍ ପାର୍ଟି କ୍ଷମତାରେ ରହିଥିଲେ ସୁଦ୍ଧା ଲୋକପ୍ରିୟତା ରେଟିଂରେ କମଲା ମାତ୍ର ୪୦ ପ୍ରତିଶତ ଭୋଟ୍ ପାଇଥିଲେ । ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ପରାମର୍ଶଦାତା ଥିବା ଡେଭିଡ ଏକ୍ସେଲରୋଡ୍ କହିଛନ୍ତି, ହୋଷ୍ଟଙ୍କ ପ୍ରଶ୍ନର ଉତ୍ତରରେ କମଲା ଅନେକ କଥା କହିପାରିଥାନ୍ତେ, ଯାହା ତାଙ୍କ ସରକାର କ୍ଷମତାକୁ ଆସିଥିଲେ କରିଥାନ୍ତା, କିନ୍ତୁ ସେ ଏପରି କଲେ ନାହିଁ । ଯାହା ତାଙ୍କ ବିଜୟ ପଥରେ କଣ୍ଟା ସାଜିଲା । ପରାଜୟ ପରେ ନିଜ ପ୍ରତିକ୍ରିୟା ରଖି କମଲା କହିଛନ୍ତି, ମନ ଦୁର୍ବଳ ନ କରି ସାହସ ଭରି ଆଗକୁ ବଢ଼ିବାର ସମୟ । ଆମେ ଯାହା ଚାହୁଁଥିଲେ ତାହା ଘଟିଲା ନାହିଁ, ତା ଅର୍ଥ ନୁହେଁ ଆମେ  ଭାଙ୍ଗିପଡ଼ିବା ।