କେସିଙ୍ଗା – କଳାହାଣ୍ଡିରେ ଆଉ ଏକ ଦାଦନ ମୃତ୍ୟୁ । କେସିଙ୍ଗା ବ୍ଲକ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁର ପଦର ଗ୍ରାମରେ ଶୋକର ଛାୟା । ଗାଁକୁ ପୁଣି ଦେଇଛି ଦାଦନର ମୃତ୍ୟୁ ଖବର । ଗାଁର ୪୧ ବର୍ଷୀୟ ଭୁପିନ୍ଦର ପୋଡ଼ ଦାଦନ ଖଟିବାକୁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେ ପରିବାର ଚାହିଁ ବସିଛି ଭୁପିନ୍ଦରଙ୍କ ମୃତଦେହ ଅପେକ୍ଷାରେ ।
ପରିବାର ଲୋକଙ୍କ ସୂଚନା ଅନୁସାରେ, ଗତ ନଭେମ୍ବର ମାସରେ ଭୁପିନ୍ଦ୍ର ସ୍ଥାନୀୟ କିଛି ଲୋକଙ୍କ ସହ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ସେଠାରେ ଶ୍ରମିକ ଭାବେ କାମ କରୁଥିଲେ। ନିୟମିତ ରାତିରେ ଘରକୁ ଫୋନ କରି ଦୁଃଖ ସୁଖ ହୁଅନ୍ତି । ସବୁଦିନ ଭଳି ସୋମବାର ମଧ୍ୟ କାମକୁ ଯାଇଥିଲେ । ରାତିରେ ଭଡା ଘରକୁ ଫେରିବା ପରେ ଘରକୁ ଫୋନ କରି ମୁଁ କାଲି ଘରକୁ ଯିବେ ବୋଲି ଜଣାଇଥିଲେ । କିନ୍ତୁ ମଙ୍ଗଳବାର ଖବର ଆସିଲା ଭୁପିନ୍ଦର ଆଉ ନାହାନ୍ତି । ଖାଇ ପିଇ ଶୋଇବାକୁ ଯାଇଥିଲେ । ସକାଳୁ ଆଉ ଉଠି ନ ଥିଲେ । ଶୋଇବା ଅବସ୍ଥାରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଖବର ଦିଆଗଲା ।
ଏହି ଖବର ପାଇବା ପରେ ପରିବାର ଲୋକଙ୍କ ସନ୍ଦେହ କେହି ତାଙ୍କୁ ମାରି ଦେଇ ନାହିଁ ତ । ସେ ଘରକୁ ଜଣାଇଲେ ମଙ୍ଗଳବାର ଘରକୁ ଫେରିବେ, ହେଲେ କେମିତି ତାଙ୍କ ମୃତ୍ୟୁ ହେଲା । ତାଙ୍କର ଏମିତି ଘରକୁ ଫେରିବା ପାଇଁ ବାହାରିବା ଓ ସେହି ରାତିରେ ତାଙ୍କ ମୃତ୍ୟୁ ହେବା ଗ୍ରାମବାସୀଙ୍କ ଭିତରେ ଅନେକ ସନ୍ଦେହ ସୃଷ୍ଟି କରୁଛି ।
ସେପଟେ ପରିବାର ଲୋକ ଶୋକ ସାଗରରେ ଭାସିଯାଇଥିଲେ ମଧ୍ୟ ଶେଷ ଥର ପାଇଁ ଭୁପିନ୍ଦରଙ୍କୁ ଦେଖିବାକୁ ଚାହିଁ ବସିଛନ୍ତି । ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ମୃତଦେହ ପରିବାର ଲୋକଙ୍କୁ ପଠାଇ ଦିଆଯିବ ବୋଲି କୁହା ଯାଇଥିବା ସୂଚନା ଦେଇଛନ୍ତି ପରିବାର ଲୋକ । ଭୁପିନ୍ଦରଙ୍କ ମୃତଦେହ ଅପେକ୍ଷାରେ ପରିବାରଠାରୁ ଗ୍ରାମବାସୀ ସମସ୍ତେ ଅପେକ୍ଷା କରିଛନ୍ତି । ଏମିତି ଅଚାନକ ଭୁପିନ୍ଦରଙ୍କ ମୃତ୍ୟୁ ସମସ୍ତଙ୍କୁ ବ୍ୟଥିତ କରିଛି ।
ମୃତ ଭୁପିନ୍ଦରଙ୍କ ପଛରେ ତାଙ୍କର ଛୋଟ ଛୋଟ ପୁଅ ଓ ଝିଅ ସହ ସ୍ତ୍ରୀ ଓ ପରିବାର ଲୋକ ଅଛନ୍ତି । ତାଙ୍କର ମୃତ୍ୟୁ ପରେ କେମିତି ପରିବାର ଚଳିବ ସେହି ଚିନ୍ତା ସମସ୍ତଙ୍କୁ ଘାରିଛି । ମୃତକଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ଦେବା ପାଇଁ ଦାବି ହେଉଛି ।