fbpx

‘ପୋଲିସ ବେଶରେ ଲାଲ କିଲ୍ଲାରେ ପ୍ରବେଶ କରିପାରନ୍ତି ଖଲିସ୍ତାନୀ ସମର୍ଥକ’- ଗୁଇନ୍ଦା ବିଭାଗ ଜାରି କଲା ରିପୋର୍ଟ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଗୁଇନ୍ଦା ରିପୋର୍ଟ ମିଳିଛି । ଯାହା ପରେ ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି । ଶୁକ୍ରବାର ଦିନ ଦିଲ୍ଲୀରେ ସ୍ବାଧୀନତା ଦିବସ ପୂର୍ବରୁ ପୋଲିସ ମୁଖ୍ୟାଳୟରେ ଦିଲ୍ଲୀ ପୋଲିସର ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ମିଳିଥିବା ଗୁଇନ୍ଦା ରିପୋର୍ଟକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ଅସାମାଜିକ ବ୍ୟକ୍ତି ଏବଂ ଖଲିସ୍ତାନୀ ସମର୍ଥକ ଦିଲ୍ଲୀ ପୋଲିସ ବେଶରେ ଲାଲ କିଲ୍ଲାରେ ପ୍ରବେଶ କରିପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ଏହା ସହ ଦିଲ୍ଲୀରେ ଥିବା ଧାର୍ମିକ ସ୍ଥଳରେ ଆକ୍ରମଣ ଭଳି ସ୍ଥିତି ଉପୁଜିପାରେ ।

ଗତବର୍ଷ ଭଳି ଚଳିତ ବର୍ଷ ଲାଲ କିଲ୍ଲା ଏବଂ ଆଖାପାଖ ଅଞ୍ଚଳରେ ସ୍ବାଧୀନତା ଦିବସକୁ ନଜରରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦେଶବିରୋଧୀ କାର୍ଯ୍ୟ ଏବଂ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି କହିଛନ୍ତି ଦିଲ୍ଲୀ ପୋଲିସ ପ୍ରବକ୍ତା ଚିନ୍ମୟ ବିଶ୍ୱାଳ । ସ୍ୱାଧୀନତା ଦିବସ ପୂର୍ବରୁ ଲାଲ କିଲ୍ଲା ମୁଖ୍ୟ ଦ୍ବାରରେ ଦିଲ୍ଲୀ ପୋଲିସ ଏକ ବିଶାଳ କାନ୍ଥ ଛିଡ଼ା କରିଛି । ଆଉ ଏହା ପ୍ରଥମ ଥର ପାଇଁ ହୋଇଛି । ପୂର୍ବରୁ କେବେ ବି ପୋଲିସ ମୁଖ୍ୟ ଫାଟକ ସାମ୍ନାରେ ବଡ଼ କାନ୍ଥ ରଖିନଥିଲା । କଣ୍ଟେନରଗୁଡ଼ିକୁ ଏମିତି ଭାବେ ରଖାଯାଇଛି ଯେ, କୌଣସି ବ୍ୟକ୍ତି ଚାହିଁଲେ ବି ଲାଲ କିଲ୍ଲା ପରିସରକୁ ଦେଖିପାରିବ ନାହିଁ ।

ଚଳିତବର୍ଷ ଜାନୁଆରୀ ୨୬, ସାଧାରଣତନ୍ତ୍ର ଦିବସରେ ଶହ ଶହ ଆନ୍ଦୋଳନରତ ଚାଷୀ ଲାଲ କିଲ୍ଲା ଭିତରକୁ ଧସେଇ ପଶିଥିଲେ। ତ୍ରିରଙ୍ଗା ପତାକା ଲାଗିବା ସ୍ଥାନରେ ସେମାନେ ପଶି ନିଜର ଧାର୍ମିକ ପତାକା ଲଗାଇ ଦେଇଥିଲେ। କୃଷକଙ୍କ ଟ୍ରାକ୍ଟର ପରେଡ୍‌ ସମୟରେ ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ୩୯୪ ପୋଲିସ କର୍ମଚାରୀ ଆହତ ହୋଇଥିଲେ ଏବଂ ୩୦ ପୋଲିସ ଭ୍ୟାନ କ୍ଷତିଗ୍ରସ୍ତ ହୋଇଥିଲା ।

 

Get real time updates directly on you device, subscribe now.