କୋଲକାତା/ମୁମ୍ବାଇ,୧୯ା୭: ବଲିଉଡ ଅଭିନେତା ଶାହାରୁଖ ଖାନ ଫିଲ୍ମ ‘କିଙ୍ଗ’ର ସୁଟିଂ ସମୟରେ ଆହତ ହୋଇଛନ୍ତି। ମୁମ୍ବାଇର ଗୋଲଡେନ୍ ଟୋବାକୋ ଷ୍ଟୁଡିଓରେ ଏକ ଆକ୍ସନ ସିନ୍ ସୁଟିଂ କରୁଥିବା ସମୟରେ କିଙ୍ଗଖାନ୍ ଆହତ ହୋଇଥିଲେ। ଏହି ସମୟରେ ସେ ଆହତ ହୋଇ ଚିକିତ୍ସା ପାଇଁ ତାଙ୍କ ଦଳ ସହିତ ଆମେରିକା ଚାଲିଯାଇଛନ୍ତି। ସେ ଆହତ ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି ।
ମମତା ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଶାହାରୁଖଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତା ପ୍ରକାଶ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ମମତା ପୋଷ୍ଟ କରି ଲେଖିଛନ୍ତି, ସୁଟିଂ ସମୟରେ ମୋ’ ଭାଇ ଶାହାରୁଖଙ୍କ ମାଂସପେଶୀରେ ଆହତ ଖବର ମୋତେ ଚିନ୍ତିତ କରୁଛି। ମୁଁ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।
ଆହତ ପରେ ଶାହାରୁଖଙ୍କୁ ତୁରନ୍ତ ଆମେରିକା ନେବାର ବ୍ୟବସ୍ଥା କରାଯାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଶାହାରୁଖ ସେଠାରେ ତାଙ୍କର ଚିକିତ୍ସା ଜାରି ରଖିବେ। ଏହା ସହିତ ଏକ ଛୋଟ ଅସ୍ତ୍ରୋପଚାର ମଧ୍ୟ କରାଯାଇପାରିବ। ଡାକ୍ତରଙ୍କ ପରାମର୍ଶ କ୍ରମେ ଶାହାରୁଖଙ୍କୁ ଅତି କମରେ ଗୋଟିଏ ମାସ ପାଇଁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପଡିବ। ଫଳସ୍ୱରୂପ, ଜୁଲାଇ-ଅଗଷ୍ଟରେ ଫିଲ୍ମ ସିଟି, ଗୋଲଡେନ୍ ଟୋବାକୋ ଏବଂ YRF ଷ୍ଟୁଡିଓରେ ହେବାକୁ ଥିବା ‘ ‘କିଙ୍ଗ’ର ଅଂଶର ସୁଟିଂ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।
ଶାହାରୁଖ ସୁଟିଂ ସମୟରେ ଅନେକ ଥର ଆହତ ହୋଇଛନ୍ତି। ୧୯୯୩ରେ, ଫିଲ୍ମ ‘ଡର’ର ସୁଟିଂ ସମୟରେ ଶାହାରୁଖ ଗୁରୁତର ହୋଇଥିଲେ। ସେହି ସମୟରେ ତାଙ୍କ ଗୋଡ଼ ସହିତ ତାଙ୍କର ୩ଟି ପଞ୍ଜରା ଭାଙ୍ଗି ଯାଇଥିଲା। ୨୦୧୭ରେ ହିଁ ତାଙ୍କ ବାମ କାନ୍ଧରେ ଏକ ଛୋଟ ଅସ୍ତ୍ରୋପଚାର ହୋଇଥିଲା।
ଶାହାରୁଖ ଫିଲ୍ମ ‘କିଙ୍ଗ’ର ସୁଟିଂରେ ବ୍ୟସ୍ତ ଥିଲେ। ଏହି ଫିଲ୍ମ ୨୦୨୬ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ। ଶାହାରୁଖଙ୍କ ସହିତ ଦୀପିକା ପାଦୁକୋନ ଏବଂ ଅଭିଷେକ ବଚ୍ଚନ ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମର ରିଲିଜ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।