fbpx

‘ମିଶନ-୪୦୦ ପାର୍’ ପାଇଁ ବିଜେପି କେଉଁ ରଣନୀତି ଆପଣାଇଛି: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରୁ ଜାଣନ୍ତୁ ୧୦ଟି ବଡ଼ ପଏଣ୍ଟ

ନୂଆଦିଲ୍ଲୀଆଗାମୀ ଲୋସଭା ପାଇଁ ଭାରତୀୟ ଜନତା ପାର୍ଟି ୧୯୫ ଜଣ ପ୍ରାର୍ଥୀଙ୍କ ପ୍ରଥମ ଲିଷ୍ଟ ଜାରି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଉତ୍ତରପ୍ରଦେଶର ବାଣାଣସୀ ଆସନରୁ ନିର୍ବାଚନ ଲଢ଼ିବେ । ପ୍ରଥମ ଲିଷ୍ଟରେ ଦଳ ୧୧୫ ଜଣ ପୁରୁଣା ପ୍ରାର୍ଥୀଙ୍କୁ ପୁଣି ଥରେ ସୁଯୋଗ ଦେଇଛି । ଏଥର ବିଜେପି ତା’ର ଆସନ ସଂଖ୍ୟା ୪୦୦ ପାର୍ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଦଳ ସେଥିପାଇଁ ଅନେକ ‘ଗୁପ୍ତ ରଣନୀତି’ ଲାଗୁ କରିଥିବା କୁହାଯାଉଛି ।

ପ୍ରାର୍ଥୀଙ୍କ ଲିଷ୍ଟ ଘୋଷଣା କରିବା ଅବସରରେ ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡ଼େ କହିଥିଲେ, ପ୍ରଥମ ଲିଷ୍ଟରେ ୨୮ ଜଣ ମହିଳା, ଅନୁସୂଚିତ ଜାତିର ୨୭ ଜଣ, ଅନୁସୂଚିତ ଜନଜାତିର ୧୮ ଜଣ ଓ ଅନ୍ୟ ପଛୁଆ ବର୍ଗର ୫୭ ଜଣ ପ୍ରାର୍ଥୀ ସାମିଲ ରହିଛନ୍ତି । ୫୦ ବର୍ଷରୁ କମ୍ ବୟସର ୪୭ ଜଣ ପ୍ରାର୍ଥୀଙ୍କୁ ଦଳ ଏଥର ନିର୍ବାଚନୀ ମୈଦାନକୁ ଉତାରିଛି । ଲିଷ୍ଟରେ କିଛି କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟସଭା ସାଂସଦ ରହିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା କିଛି ନୂଆ ତଥ୍ୟ ଉଜାଗର କରିଛି ।

୧- ଗତ ୨୦୧୯ ଲୋକସଭା ନିର୍ବାଚନରେ ଭାଜପା ଯେଉଁସବୁ ଆସନଗୁଡ଼ିକରେ ପରାଜୟ ବରଣ କରିଥିଲା, ଦଳ ଏଥର ପ୍ରଥମ ଲିଷ୍ଟରେ ସେହିସବୁ ସିଟଗୁଡ଼ିକୁ ବିଶେଷ ଭାବେ ଫୋକସ୍ କରିଛି । ଏଥିସହିତ ଗତଥର ଜିତିଥିବା କିଛି ଆସନରେ ମଧ୍ୟ ଦଳ ପ୍ରାର୍ଥୀଙ୍କୁ ବଦଳାଇଛି ।

୨- ଦଳର କିଛି ବିବାଦୀୟ ସାଂସଦଙ୍କୁ ଦଳ ଟିକେଟ୍ ପ୍ରଦାନ କରିନାହିଁ । ସେହି ଲିଷ୍ଟରେ ଭୋପାଳ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର, ଜୟନ୍ତ ସିହ୍ନା, ଦିଲ୍ଲୀ ସାଂସଦ ରମେଶ ବିଧୂଡ଼ି, ପରବେଶ ସିଂହ ବର୍ମାଙ୍କ ନାମ ରହିଛି ।

୩- ୧୯୫ଟି ଆସନ ମଧ୍ୟରୁ କେବଳ କେବଳ ୧୪ ପ୍ରତିଶତ ଅର୍ଥାତ ୨୮ ଜଣ ମହିଳାଙ୍କୁ ଟିକେଟ ମିଳିଛି ।

୪- ଲିଷ୍ଟରେ ୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ୍ ମିଳିଛି । ଏଥିସହିତ ଦୁଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ-ଝିଅଙ୍କୁ ମଧ୍ୟ ଟିକେଟ ଦେଇଛି ।

୫- ୟୁପିର ୮୦ଟି ଆସନ ମଧ୍ୟରୁ ୫୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ୟୁପିରେ ଅଧିକ ସାଂସଦଙ୍କୁ ପୁଣି ଥରେ ଟିକେଟ ଦିଆଯାଇଛି ।

୬- ଏଥର କିଛି ବଡ଼ ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍ ମିଳିନାହିଁ । ଝାଡ଼ଖଣ୍ଡରେ ଦଳ ଏପରି ଫର୍ମୂଲା ଲାଗୁ କରିଛି ।

୭- କଂଗ୍ରେସରୁ ବିଜେପିକୁ ଆସିଥିବା ନୂଆ ନେତାଙ୍କୁ ରାଜସ୍ଥାନରେ ଟିକେଟ ମିଳିଛି । ଅର୍ଥାତ ନୂଆ ନେତାଙ୍କ ଉପରେ ଦଳ ଭରସା କରିଛି ।

୮- ଲିଷ୍ଟରେ ଏପରି କିଛି ରାଜ୍ୟ ରହିଛି ଯେଉଁଠି ୧୦୦ ପ୍ରତିଶତ ପୁରୁଣା ପ୍ରାର୍ଥୀଙ୍କୁ କାଏମ୍ ରଖାଯାଇଛି । ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ଦାମନ ଓ ଡିଉ, ଜମ୍ମୁ କଶ୍ମୀର, ଗୋଆରେ ଦେଖିବାକୁ ମିଳିଛି ଏପରି ସ୍ଥିତି ।

୯- ପ୍ରାର୍ଥୀ ଘୋଷଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ୧୧ଟାରେ ପାର୍ଟି ଅଫିସରେ ପହଞ୍ଚିଥିବା ବେଳେ ସେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଘଣ୍ଟା ଘଣ୍ଟା ଧରି ଦଳୀୟ କର୍ମୀଙ୍କ ସହିତ ବିଚାରବିମର୍ଶ କରିଥିଲେ ।

୧୦- କେଉଁ ଆସନରୁ କାହାକୁ ପ୍ରାର୍ଥୀ କରାଯିବ ସେଥିପାଇଁ ଭାଜପା ଆପ୍ ଜରିଆରେ ଜନତାଙ୍କ ମତାମତ ସଂଗ୍ରହ କରିଥିଲା । ପ୍ରତି ନିର୍ବାଚନ ମଣ୍ଡଳୀର ଟପ-୫ ଜଣ ନେତାଙ୍କ ବିଷୟରେ ହସ୍ତଗତ ହୋଇଥିବା ତଥ୍ୟ ଆଧାରରେ ଟିକେଟ ବଣ୍ଟନ ନିଷ୍ପତ୍ତି ନିଆଯାଇଥିଲା ।

Get real time updates directly on you device, subscribe now.