fbpx
BSKY SKY
BSKY SKY

ହୃଦୟକୁ ସୁସ୍ଥ ରଖିବାକୁ ଖାଆନ୍ତୁ ଛତୁରେ ତିଆରି ଏହି ନୂଆ ତରକାରୀ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତି

BSKY

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଶରୀରକୁ ସୁସ୍ଥ ରଖିବା ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ନିତାନ୍ତ ଆବଶ୍ୟକ । ବେଳେବେଳେ ସ୍ୱାସ୍ଥ୍ୟକର ଖାଦ୍ୟ ସହିତ କିଛି ଚଟପଟା ଓ ମସଲାଦାର୍ ଖାଦ୍ୟ ଖାଇବାକୁ ମଧ୍ୟ ଇଚ୍ଛା ହୋଇଥାଏ, କିନ୍ତୁ ହୁଏତ ଏହା ସ୍ୱାସ୍ଥ୍ୟକର ହୋଇନଥାଏ । ତେବେ ଆମେ ଆଜି ଆପଣଙ୍କୁ ଏଭଳି ଏକ ଖାଦ୍ୟ ବିଷୟରେ ଜଣାଇବୁ, ଯାହା ଖାଇବାକୁ ସ୍ୱାଦିଷ୍ଟ ହେବା ସହ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ ।

ଧିଙ୍ଗ୍ରି ଛତୁ: ଦୁନିଆରେ ସବୁଠାରୁ ଅଧିକ ଉତ୍ପାଦନ ହେଉଥିବା ଛତୁକୁ ଧିଙ୍ଗ୍ରି ଛତୁ ବା ଓଏଷ୍ଟର ଛତୁ ମଧ୍ୟ କୁହାଯାଏ । ଏଥିରେ ଫାଇବର, ଗ୍ଲୁଟେନ୍, ପ୍ରୋଟିନ୍ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ । ଧିଙ୍ଗ୍ରି ଛତୁ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କମ୍ ହେବା ସହ ହୃଦୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

ତେବେ ଆସନ୍ତୁ ଜାଣିବା ଧିଙ୍ଗ୍ରି ଛତୁ ତରକାରୀ ତିଆରି ପାଇଁ  ବ୍ୟବହାର ହେଉଥିବା ଉପାଦାନ :

ଧିଙ୍ଗ୍ରି ଛତୁ -୨ କି.ଗ୍ରା, ଗ୍ରୀନ୍ ମଟର – ୧/୪ କପ୍, ଟମାଟୋ ପ୍ୟୁରି – ୨ କପ୍, ସୋୟାବିନ୍ (ଚଙ୍କସ୍) – ୧ କପ୍, ପୋସ୍ତ- ୧ ଚାମଚ, କାଜୁ – ୮ରୁ ୧୦ଟି, ନାଲି ଲଙ୍କା ଗୁଣ୍ଡ- ୨ ବଡ ଚାମଚ, ଗରମ ମସଲା -୨ ବଡ ଚାମଚ, ହଳଦୀ – ୨ ବଡ ଚାମଚ, ଅଦା ରସୁଣ ପେଷ୍ଟ- ୧ ଚାମଚ, କଟା ଧନିଆ ପତ୍ର -୨ କପ୍, ତେଲ -ଆବଶ୍ୟକ ଅନୁଯାଇ, ଲୁଣ – ସ୍ୱାଦ ଅନୁସାରେ ନେବାକୁ ହେବ ।

ଧିଙ୍ଗ୍ରି ଛତୁ ତରକାରୀ ତିଆରି କରିବାର ପଦ୍ଧତି :

ଧିଙ୍ଗ୍ରି ଛତୁ ତରକାରୀ ତିଆରି କରିବା ପାଇଁ ପ୍ରଥମେ ଛତୁ ଗୁଡିକୁ ସଫାକରି ଖଣ୍ଡଖଣ୍ଡ କରି ଏକ ପାତ୍ରରେ ରଖନ୍ତୁ । ଏହାପରେ ଗ୍ରୀନ୍ ମଟରକୁ ସିଝାଇ ନରମ କରି ରଖନ୍ତୁ ।  ବର୍ତ୍ତମାନ ମସଲା ଜାହାରରେ ପୋସ୍ତ, କାଜୁ, ଏବଂ ଅଳ୍ପ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଏକ ପାତ୍ରରେ ଅଳ୍ପ ପାଣି ଗରମ କରି ଏଥିରେ ସୋୟାବିନ୍ (ଚଙ୍କସ୍ ) ପକାଇ ୧୫ ମିନିଟ୍ ଭିଜାଇ ରଖନ୍ତୁ ।

ଏହାପରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲା ପରେ ସେଥିରେ ଅଦା-ରସୁଣ ପେଷ୍ଟ ପକାଇ ୩୦-୪୦ ସେକେଣ୍ଡ ପର୍ଯ୍ୟନ୍ତ ଗୋଳାନ୍ତୁ । ଏହାପରେ ଟମାଟୋ ପ୍ୟୁରି ଓ ହଳଦୀ ଗୁଣ୍ଡ ପକାଇ ଆଉ କିଛି ସମୟ ଗୋଳାନ୍ତୁ । ଏହାପରେ ସିଝା ହୋଇଥିବା ଗ୍ରୀନ୍ ମଟର,ସୋୟାବିନ୍ ଓ ଛତୁକୁ ପକାଇ ଭଲଭାବରେ ଗୋଳାଇ ଢାଙ୍କି ଦିଅନ୍ତୁ । ଛତୁ ନରମ ହେବା ପର୍ଯ୍ୟନ୍ତ ଏହାକୁ ରାନ୍ଧନ୍ତୁ । ଛତୁ ନରମ ହେବା ପରେ ଏଥିରେ ପୋସ୍ତକ ଓ କାଜୁ ପେଷ୍ଟ,ନାଲି ଲଙ୍କା ଗୁଣ୍ଡ ,ଏବଂ ସ୍ୱାଦ ଅନୁସାରେ ଲୁଣ ଦିଅନ୍ତୁ । ଏହାପରେ ତରକାରୀକୁ ଆଉ ୭-୮ ମିନିଟ୍ ରାନ୍ଧନ୍ତୁ । ଯେତେବେଳେ ତରକାରୀରୁ ସୁଗନ୍ଧ ଆସିବା ଆରମ୍ଭ ହେବ ଏବଂ ଛତୁ  ନରମ ହୋଇଯିବ ତା ପରେ ଗ୍ୟାସ୍ କୁ ବନ୍ଦ କରିଦିଅନ୍ତୁ । ଏହାକୁ ଆଉ ଟିକେ ସଜାଇବା ପାଇଁ ଏହା ଉପରେ କାଟିକି ରଖିଥିବା ଧନିଆ ପତ୍ରକୁ ପକାନ୍ତୁ ।  ପ୍ରସ୍ତୁତ ହୋଇଗଲା ଧିଙ୍ଗ୍ରି ଛତୁ ତରକାରୀ । ସ୍ୱାଦ ଓ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ଏହି ଧିଙ୍ଗ୍ରି ଛତୁ ତରକାରୀକୁ ପରାଠା କିମ୍ବା ନାନ୍ ସହିତ ପରଷି ଦିଅନ୍ତୁ ।

Get real time updates directly on you device, subscribe now.