fbpx

World Water Day ଇତିହାସ ଜାଣନ୍ତୁ: କେବେଠାରୁ ଓ କାହିଁକି ବିଶ୍ୱ ଜଳ ଦିବସ ପାଳନ କରାଯାଉଛି

ନୂଆଦିଲ୍ଲୀ: ପ୍ରତିବର୍ଷ ମାର୍ଚ୍ଚ ମାସ ୨୨ ତାରିଖରେ ବିଶ୍ୱ ଜଳ ଦିବସ ପାଳନ କରାଯାଉଛି । ଜଳର ଭୂମିକା ମାନବ ସଭ୍ୟତା ସହିତ ସମଗ୍ର ବିଶ୍ୱର ପ୍ରତ୍ୟେକ ଜୀବଜନ୍ତୁ, ସରିସୃପ, ବୃକ୍ଷଲତାଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଖାଦ୍ୟ ବିନା ଗୋଟିଏ ଜୀବ ବଞ୍ଚିପାରେ, ମାତ୍ର ଜଳ ବିନା ନୁହେଁ । ମଣିଷର ଅସ୍ତିତ୍ୱ ଓ ସମୃଦ୍ଧି ପାଇଁ ଜଳ ନିହାତି ଅପରିହାର୍ଯ୍ୟ । ତେବେ ଏହି ଦିବସ ପାଳନ କରିବା ପଛର ଇତିହାସ ସମ୍ପର୍କରେ ସମସ୍ତେ ଜାଣିବା ନିହାତି ଆବଶ୍ୟକ ।

୨୦୨୩ ବର୍ଷର ବିଶ୍ୱ ଜଳ ଦିବସର ଥିମ ହେଉଛି ‘ତ୍ୱରିତ ପରିବର୍ତ୍ତନ’ । ଏହାର ଅର୍ଥ ହେଉଛି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଜଳ ଓ ସ୍ୱଚ୍ଛତା ସଙ୍କଟକୁ ଦୂର କରିବା ଏବଂ ସଙ୍ଗେସଙ୍ଗେ ଆବଶ୍ୟକତା ଉପରେ ଜୋର ଦେବା । ଏହା ସାରା ବିଶ୍ୱର ସମସ୍ତ ମଣିଷ, ପରିବାର, ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଜ ଜୀବନରେ ପାଣିର ଉପଯୋଗ ଓ ପରିଚାଳନାର ତରିକାକୁ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥାଏ । ଏହି ଥିମ ଲୋକଙ୍କ ମଧ୍ୟରେ ସ୍ଥାୟୀ ଜଳ ପରିଚାଳନା ନେଇ ନିଜର କର୍ତ୍ତବ୍ୟ ପ୍ରତି ସଚେତନତା କରାଇଥାଏ । ଏଥିସହିତ ଜଳ ସଂରକ୍ଷଣ ଓ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଉଠାଇବାକୁ କହିଥାଏ । ମୋଟାମୋଟି ଭାବେ କହିବାକୁ ଗଲେ ମାନବତା ଆଗରେ ଜଳ ଚାପକୁ ନେଇ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜକୁ ସମାଧାନ କରିବା ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ଉପରେ ଏହା ଜୋର ଦେଇଥାଏ ।

ଗତ ୧୯୯୨ ମସିହାରେ ବ୍ରାଜିଲର ରିଓ ଡି ଜେନେରିଓଠାରେ ମିଳିତ ଜାତିସଂଘ ଦ୍ୱାରା ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଉକ୍ତ ସମ୍ମିଳନୀରେ ବିଶ୍ୱ ଜଳ ଦିବସ ପାଳନ ନେଇ ପ୍ରସ୍ତାବ ରଖାଯାଇଥିଲା । ଏହି ପ୍ରସ୍ତାବକୁ ଅଳ୍ପ ସମୟ ମଧ୍ୟରେ ଅନୁମୋଦନ ମିଳିଥିଲା । ଏହାପରେ ୧୯୯୩ରେ ପ୍ରଥମ ଥର ପାଇଁ ବିଶ୍ୱ ଜଳ ଦିବସ ପାଳନ ହୋଇଥିଲା । ସେବେଠାରୁ ସାରା ଦୁନିଆରେ ପ୍ରତିବର୍ଷ ମାର୍ଚ୍ଚ ମାସ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ ଏହି ଦିବସ ପାଳନ ଅବସରରେ ଏକ ଥିମ୍ ନିର୍ଦ୍ଧାରିତ କରାଯାଇ ଏହି ଉତ୍ସବ ପାଳନ କରାଯାଇଥାଏ ।

Get real time updates directly on you device, subscribe now.