fbpx

IPL-2024ରେ ଚମ୍ପିଆନ୍ ସାଜିଲା କୋଲକାତା: ତୃତୀୟ ଥର ମିଳିଲା IPL ଟ୍ରଫି

AAKASH

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ତୃତୀୟ ଥର ଆଇପିଏଲ ଟ୍ରପି ହାତେଇଛି କୋଲକାତା ନାଇଟ ରାଇଡର୍ସ । ଫାଇନାଲ ଲଢେଇରେ ସନରାଇଜର୍ସ ହାଇଦ୍ରାବାଦକୁ ଚକମା ଦେଇ ବିଜୟ ମୁକୁଟ ପିନ୍ଧିଛି ଶ୍ରେୟସ ସେନା । ମିଚେଲ ଷ୍ଟାର୍କଙ୍କ ଦମଦାର ବୋଲିଂ ଏବଂ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ବ୍ୟାଟିଂରେ କୋଲକାତା ହାଇଦ୍ରାବାଦକୁ ପରାସ୍ତ କରିଛି । କମିନ୍ସ ସେନାର ୧୧୪ ରନ୍ ଲକ୍ଷ୍ୟକୁ ମାତ୍ର ୧୧ ଓଭରରେ ହାସଲ କରି ତୃତୀୟ ଥର ପାଇଁ ଆଇପିଏଲ ଟ୍ରଫି ନିଜର କରିଛି କୋଲକାତା ।

ଆଇପିଏଲ-୨୦୨୪ରେ ବିସ୍ଫୋରକ ବ୍ୟାଟିଂର ଜଲୱା ଦେଖାଇଥିବା ହାଇଦ୍ରାବାଦ ଫାଇନାଳରେ ବଳି ପଡ଼ି ଯାଇଛି । କୋଲକାତାର ବୋଲିଂ ଡିପାର୍ଟମେଣ୍ଟ ଆଗରେ ସମ୍ପୂର୍ଣ୍ଣ ଭାବରେ ଫେଲ ମାରିଛି ହାଇଦ୍ରାବାଦର ଶକ୍ତିଶାଳୀ ବ୍ୟାଟିଂ ଅର୍ଡର । ଚଳିତବର୍ଷ ୨୮୭ ରନ୍ ଭଳି ସ୍କୋର କରିଥିବା ହାଇଦ୍ରାବାଦ ଆଜି ଫାଇନାଲ ମ୍ୟାଚରେ ମାତ୍ର ୧୧୩ ରନରେ ଅଲ ଆଉଟ ହୋଇ ଯାଇଥିଲା । ତେବେ ମାତ୍ର ୧୧୪ ରନର ଚୋଟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଶ୍ରେୟସ ସେନା । ହାଇଦ୍ରାବାଦର ଏହି ଛୋଟ ଲକ୍ଷ୍ୟକୁ ମାତ୍ର ୧୧ତମ ଓଭରରେ ୨ ୱିକେଟ ହରାଇ ସଫଳତାର ସହ ହାସଲ କରି ନେଇଛି କୋଲକାତା । ରହମାନୁଲ୍ଲାହ ଗୁରବାଜ ଏବଂ ଭେଙ୍କଟେଶ ଆୟର ବିସ୍ଫୋରକ ବ୍ୟାଟିଂ କରି ହାଇଦ୍ରାବାଦ ଏବଂ ପ୍ୟାଟ କମିନ୍ସଙ୍କ ଚମ୍ପିଆନ୍ ହେବାର ସ୍ୱପ୍ନ ଭାଙ୍ଗି ଦେଇଛନ୍ତି । ହାଇଦ୍ରାବାଦର ଦୁବଳ ବୋଲିଂ ବିଭାଗର ଫାଇଦା ଉଠାଇଛି ଶ୍ରେୟସ ସେନା । ଯାହା ଫଳରେ ମାତ୍ର ୧୦.୩ ଓଭରରେ ୧୧୪ ରନ୍ କରି ତୃତୀୟ ଥର ପାଇଁ ଆଇପିଏଲ ଟ୍ରଫି ଉପରେ କବଜା କରିଛି କୋଲକାତା ନାଇଟ ରାଇଡର୍ସ ।

ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଶ୍ରେୟସ ଆୟର ଅଧିନାୟକ ଭାବରେ ଆଇପିଏଲ ଚମ୍ପିଆନ୍ ହୋଇଥିବା ବେଳେ କୋଲକାତାର ସଦସ୍ୟ ଭାବରେ ଗମ୍ଭୀର ତୃତୀୟ ଥର ଟ୍ରଫି ହାତେଇଛନ୍ତି । ପୂର୍ବରୁ କୋଲକାତା ୨୦୧୨ ଏବଂ ୨୦୧୪ ମସିହାରେ ଗମ୍ଭୀରଙ୍କ ନେତୃତ୍ୱରେ ଆଇପିଏଲ ଚମ୍ପିଆନ୍ ସାଜିଥିଲା । ତେବେ ୧୦ ବର୍ଷ ପରେ କୋଲକାତା ପୁଣିଥରେ ଏହି ଟ୍ରଫି ଉପରେ କବଜା କରି ତୃତୀୟ ଥର ପାଇଁ ବିଜୟ ତିଳକ ପିନ୍ଧିଛି । ସେହିପରି ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରେ ସର୍ବାଧିକ ଆଇପିଏଲ ଟ୍ରଫି ହାତେଇଥିବା ଦଳ ସାଜିଛି କୋଲକାତା ନାଇଟ ରାଇଡର୍ସ । ଚେନ୍ନାଇ ଏବଂ ମୁମ୍ବାଇ ୫ ଥର ଲେଖାଏଁ ଚମ୍ପିଆନ୍ ହୋଇଥିବା ବେଳେ କୋଲକାତା ତୃତୀୟ ଥର ଟ୍ରଫି ଉପରେ ଅଧିକାର ସାବ୍ୟସ୍ତ କରିଛି ।

Get real time updates directly on you device, subscribe now.