fbpx

କାନ୍ଥବାଡ଼ରେ ଅ-ଆ ପୋଷ୍ଟର ଯୁଦ୍ଧ, ମଜା ଉଠାଉଛନ୍ତି ସାଧାରଣ ଜନତା

ଓଡିଶା ଭାସ୍କର: ଆଉ ମାତ୍ର ମାସ କେଇଟା ପରେ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। ସେହିପରି ଦଳୀୟ ନେତା ମାନେ ସହର ଛାଡି ଏବେ ଗାଁ ମୁହାଁ ହୋଇଛନ୍ତି। ଅନ୍ୟପଟେ ଏବେ ନୂଆ ବର୍ଷ ଆରମ୍ଭ ହୋଇଥିବା ବେଳେ ସମସ୍ତେ ନିଜର ପୋଷ୍ଟର ଲଗାଇ ଲୋକଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିଛନ୍ତି। ଏହି କ୍ରମରେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ପୋଷ୍ଟର ୱାର। ବିଶେଷକରି ସମସ୍ତ କାନ୍ଥବାଡ଼ରେ ଅ-ଆ ପୋଷ୍ଟର ଯୁଦ୍ଧକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି।

ଅ-ଆ ଯୁଦ୍ଧ ଅର୍ଥାତ ଅଶୋକ ବନାମ ଆକାଶ। ଶାସକ ବିଜେଡି ଦଳ ବିଧାୟକ ଅଶୋକ କୁମାର ବଳ ଓ ପୂର୍ବତନ ବିଧାୟକ ଆକାଶ ଦାସନାୟକଙ୍କ ମଧ୍ୟରେ ଏହି ଯୁଦ୍ଧ ପରିସ୍ଥିତି ଆରମ୍ଭ ହୋଇଛି। ଫଳରେ ସାଧାରଣ ଲୋକେ ଏହାର ମଜା ନେଉଛନ୍ତି। କାରଣ ଉଭୟେ ଏଥର କୋରେଇରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶା ବାନ୍ଧିଛନ୍ତି, ଯେଉଁଥିପାଇଁ ସମାନ୍ତରାଳ ଭାବେ ବିଭିନ୍ନ ସଭାସମିତି ଜାରି ରହିଛି। କେତେବେଳେ ଅଶୋକ ନିଜ ସମର୍ଥକଙ୍କୁ ନେଇ ଶକ୍ତି ପଦର୍ଶନ କରୁଛନ୍ତି ତ ଆଉ କେତେବେଳେ ଆକାଶ ବି ନିଜର ଶକ୍ତି ପଦର୍ଶନ କରୁଛନ୍ତି। ତେବେ ଜନତା ଓ ଦଳୀୟ କର୍ମୀ ଏଥର କାହା ସହିତ ରହିବେ ସେନେଇ ଦ୍ଵନ୍ଦରେ ପଡିଛନ୍ତି। ଅନ୍ୟପଟେ ବିରୋଧୀ ଦଳ ବିଜେପିରେ ବି ସମାନ ପରିସ୍ଥିତି।

୨୦୧୯ ନିର୍ବାଚନର ବିଜେପି ବିଧାନସଭା ପ୍ରାର୍ଥୀ ବିଶ୍ୱଜିତ୍‌ ନାୟକ ଓ ବିଜେପି ନେତା ଆଲେକଜାଣ୍ଡର ଦାସଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗିରହିଛି। ଉଭୟେ ଟିକେଟ ଆଶାରେ ରହି ପୃଥକ୍‌ ଭାବେ କର୍ମୀ ସମ୍ମିଳନୀ ଓ ହୋର୍ଡିଂ ଲଗାଇଚାଲିଛନ୍ତି। କିନ୍ତୁ ବିଶ୍ୱଜିତଙ୍କ ପରିବର୍ତ୍ତେ ଏଥର ଆଲେକଜାଣ୍ଡରଙ୍କ ଉପରେ ବିଜେପି ଆସ୍ଥା ପ୍ରକଟ କରିପାରେ ବୋଲି ବେଶୀ ଚର୍ଚ୍ଚା ହେଉଛି। କାରଣ ଦଳର ଶୀର୍ଷ ନେତୃତ୍ୱଙ୍କ ସହ ଆଲେକଜାଣ୍ଡରଙ୍କ ଖୁବ ଭଲ ସମ୍ପର୍କ ଥିବା ଦେଖିବାକୁ ମିଳୁଛି। ସେପଟେ ବିଜେପି ଓ ବିଜେଡିକୁ ଛାଡିବା ପରେ କଂଗ୍ରେସ ସାମାନ୍ୟ ନିରବ ଥିବା ପରି ମନେ ହେଉଛି। କାରଣ କୋରେଇ ତଥା ରାଜ୍ୟ କଂଗ୍ରେସର ନେତ୍ରୀ ବନ୍ଦିତା ପରିଡ଼ାଙ୍କ ହୋର୍ଡିଂ ଓ ବୈଠକ କାଁଭାଁ ଦେଖିବାକୁ ମିଳୁଛି। ତେବେ ସେ ବିଜେଡି ଓ ବିଜେପିର ପ୍ରମୁଖ ନେତାଙ୍କ ସହ ଯୋଗସୂତ୍ର ରଖିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଆଉ ଶୁଣିବାକୁ ମିଳୁଛି ଏଥର ବିଜେଡି କୁଆଡ଼େ ଏହି ଆସନରେ ମହିଳା କାର୍ଡ ଖେଳିପାରେ।

Get real time updates directly on you device, subscribe now.