୧୦ ରୁ ଖଣ୍ଡଗିରିରେ ପୂର୍ଣ୍ଣ କୁମ୍ଭମେଳା, ପୁଣିହେବ ଅପେରା ଲଢେଇ

ଆସନ୍ତା ୧୦ ତାରିଖରୁ ଫେବ୍ରୁଆରୀ ୨୬ (ମହାଶିବରାତ୍ରି) ପର୍ଯ୍ୟନ୍ତ ଖଣ୍ଡଗିରିରେ ପଞ୍ଚକୁଣ୍ଡୀୟ ସ୍ନାନ ପାଳନ କରାଯିବ।

ଭୁବନେଶ୍ଵର: ପ୍ରୟୋଗରାଜରେ ମହାକୁମ୍ଭ ମେଳା ସହିତ ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ସମାନ ସମୟରେ ହେବ ପୂର୍ଣ୍ଣ କୁମ୍ଭମେଳା। ବିଶ୍ଵ ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ଆସନ୍ତା ୧୦ ତାରିଖରୁ ଫେବ୍ରୁଆରୀ ୨୬ (ମହାଶିବରାତ୍ରି) ପର୍ଯ୍ୟନ୍ତ ଖଣ୍ଡଗିରିରେ ପଞ୍ଚକୁଣ୍ଡୀୟ ସ୍ନାନ ପାଳନ କରାଯିବ। ସେହିଦିନ ବିଶ୍ୱପ୍ରସିଦ୍ଧ ପୂର୍ଣ୍ଣ କୁମ୍ଭମେଳା ଉଦଘାଟନ ହେବା ସହ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରୁ ପୂର୍ଣ୍ଣ ଘଟ ଜଳ ଆସି ଖଣ୍ଡଗିରିରେ ପାଞ୍ଚଟି ସ୍ଥାନରେ ସ୍ଥାପନ କରାଯିବ।

ମିଳିଥିବା ସୂଚନା ଅନୁଯାୟୀ ଜାନୁଆରୀ ୧୦ରେ ପ୍ରଥମ ସ୍ନାନ, ଜାନୁଆରୀ ୧୩(ପୌଷ ପୂର୍ଣ୍ଣିମା) ରେ ଦ୍ଵିତୀୟ ସ୍ନାନ, ଜାନୁଆରୀ ୧୪( ମକର ସଂକ୍ରାନ୍ତି)ରେ ତୃତୀୟ ସ୍ନାନ, ଜାନୁଆରୀ ୨୯ (ତ୍ରିବେଣୀ ଅମାବାସ୍ୟା)ରେ ଚତୁର୍ଥ ସ୍ନାନ, ଫେବ୍ରୁଆରୀ ୨(ଶ୍ରୀପଞ୍ଚମୀ)ରେ ପଞ୍ଚମ ସ୍ନାନ, ଫେବ୍ରୁଆରୀ ୪ (ମାଘ ସପ୍ତମୀ) ରେ ଷଷ୍ଠ ସ୍ନାନ ଓ ଫେବ୍ରୁଆରୀ ୨୬ରେ ଅସିମ ସ୍ନାନ ଆୟୋଜନ କରା‌ଯିବ ବୋଲି ଖଣ୍ଡଗିରିସ୍ଥିତ ପାଦୁକା ଆଶ୍ରମଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସୂଚନା ଦି ଦିଆଯାଇଛି।

ମାଘ ସପ୍ତମୀରେ ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ହେଉଥିବା ପ୍ରସିଦ୍ଧ କୁମ୍ଭମେଳା ୯ ଦିନ ଧରି ଚାଲି ମାଘ ପୂର୍ଣ୍ଣିମାଦିନ ପୂର୍ଣ୍ଣାହୁତୀ ହୁଏ । ଏହି ଅବସରରେ ସାଧୁସନ୍ଥଙ୍କ ସମାବେଶ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମେ ।

ଓଡ଼ିଆ ଯାତ୍ରାଜଗତର ସମସ୍ତ ନାମୀ ଦାମୀ ଅପେରା ପାର୍ଟିମାନଙ୍କର ପ୍ରତିଯୋଗିତା ଏହି ମେଳାରେ ଦେଖିବାକୁ ମିଳେ । ମେଳା ଉପଲକ୍ଷେ ୫ଟି ପେଣ୍ଡାଲରେ ପ୍ରାୟ ୧୦ଟି ନାମୀ ଅପେରା ପାର୍ଟି ନିଜ ନିଜ ଶକ୍ତି ପ୍ରଦର୍ଶନ କରିଥାନ୍ତି । ଗୋଟିଏ ପେଣ୍ଡାଲରେ ୩ ହଜାରରୁ ଅଧିକ ଦର୍ଶକ ଯାତ୍ରା ଉପଭୋଗ କରନ୍ତି । ମେଳା ସମୟରେ ପ୍ରାୟ ୧୦ଲକ୍ଷ ଦର୍ଶକ ପ୍ରତି ଦିନ ଯାତ୍ରା ଦେଖନ୍ତି ।