fbpx

ଲାଲୁଙ୍କ ଶରୀରରେ ପ୍ରତିରୋପଣ ହେଲା ଝିଅ ରୋହିଣୀର କିଡନୀ; ଆଇସିୟୁରେ ଅଛନ୍ତି ବାପା ଝିଅ

ନୂଆଦିଲ୍ଲୀ: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ଅପରେସନ ସଫଳତାର ସହ ଶେଷ ହୋଇଛି । ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କ ପିତାଙ୍କୁ କିଡନୀ ଦାନ କରିଛନ୍ତି । ରୋହିଣୀଙ୍କ ଅପରେସନ ଲାଲୁଙ୍କ ଅପରେସନ ପୂର୍ବରୁ କରାଯାଇଥିଲା । ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଟ୍ୱିଟରରେ ଏକ ଭିଡିଓ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ବିହାରର ଡେପୁଟି ସିଏମ ଏବଂ ଲାଲୁ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବ ଟ୍ୱିଟ୍ କରି କହିଛନ୍ତି, “ଲାଲୁଙ୍କ କିଡନୀ ପ୍ରତିରୋପଣ ପରେ ତାଙ୍କୁ ଅପରେସନ ଥିଏଟରରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । କିଡନୀ ଡୋନର ରୋହିଣୀ ଆଚାର୍ଯ୍ୟ ଏବଂ ଜାତୀୟ ଅଧ୍ୟକ୍ଷ ଲାଲୁ ବର୍ତ୍ତମାନ ସୁସ୍ଥ ଅଛନ୍ତି ।
ଲାଲୁଙ୍କର ସାତ ଝିଅ ଏବଂ ଦୁଇ ପୁଅଙ୍କ ମଧ୍ୟରୁ ରୋହିଣୀ ଦ୍ୱିତୀୟ ଝିଅ ଅଟନ୍ତି । ଡାକ୍ତରଖାନା ଯିବା ପୂର୍ବରୁ ନିଜର ଭାବନା ପ୍ରକାଶ କରି ରୋହିଣୀ କହିଥିଲେ ଯେ, ଲାଲୁ ପ୍ରସାଦଙ୍କୁ ସୁସ୍ଥ ରଖିବା ସାଧାରଣ ଲୋକଙ୍କ ପାଇଁ ଆବଶ୍ୟକ । ତେଣୁ ସେ ଏପରି ନିଷ୍ପତ୍ତି ନେଇଥିଲେ । ଏହାପୂର୍ବରୁ ଲାଲୁଙ୍କ ବଡ଼ ଝିଅ ମିସା ଭାରତୀ ଟ୍ୱିଟ୍ କରି କହିଥିଲେ, ‘ସାନ ଭଉଣୀ ରୋହିଣୀଙ୍କ ଅପରେସନ ସଫଳ ହୋଇଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବର୍ତ୍ତମାନ ଆଇସିୟୁରେ ଅଛନ୍ତି । ବର୍ତ୍ତମାନ ବାପାଙ୍କ ଅପରେସନ ଚାଲିଛି ।

ଡାକ୍ତରଖାନା ଯିବାର କିଛି ଘଣ୍ଟା ପୂର୍ବରୁ ରୋହିଣୀ ଲାଲୁ ପ୍ରସାଦଙ୍କ ପ୍ରତି ନିଜର ଭାବନା ପ୍ରକାଶ କରି ଲେଖିଥିଲେ ଯେ ସେ ଭଗବାନଙ୍କୁ ଦେଖି ନାହାଁନ୍ତି, କିନ୍ତୁ ତାଙ୍କ ବାପାଙ୍କୁ ସେ ଭଗବାନଙ୍କ ରୂପରେ ଦେଖିଛନ୍ତି । ରୋହିଣୀ ପ୍ରାଥମିକ ଚିକିତ୍ସା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କ କିଡନୀ ୯୦ ରୁ ୯୫ ପ୍ରତିଶତରେ କାମ କରୁଛି । ଲାଲୁଙ୍କର ଉଭୟ କିଡନୀ ୨୮ ପ୍ରତିଶତ କାମ କରୁଛି । ଟ୍ରାନ୍ସପ୍ଲାଣ୍ଟ ପରେ ସେମାନେ ପ୍ରାୟ ୭୦ ପ୍ରତିଶତ କାମ ଆରମ୍ଭ କରିବେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ, ଏହା ଯଥେଷ୍ଟ ବୋଲି କୁହାଯାଇଛି ।
ଲାଲୁ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ କିଡନୀ ପ୍ରତିରୋପଣ କରିଛନ୍ତି । ଏହି ଡାକ୍ତରଖାନାରେ ପୂର୍ବତନ ବିଜେପି ସାଂସଦ ଆର.କେ ସିହ୍ନା, ଅମର ସିଂ ଏବଂ ଅଭିନେତା ରଜନୀକାନ୍ତଙ୍କ କିଡନୀ ପରିବର୍ତ୍ତନ କରାଯାଇଥିଲା । ତେବେ ପାଟଣାର ଦାନାପୁରରେ ଲାଲୁ ଯାଦବଙ୍କ ପାଇଁ ସ୍ୱତନ୍ତ୍ର ପ୍ରାର୍ଥନା କରାଯାଇଥିଲା ।

Get real time updates directly on you device, subscribe now.