fbpx

ପୁଣି ବିଶ୍ୱବାସୀଙ୍କ ଭୟ ବଢ଼ାଇଲା କରୋନା ନୂଆ ଭାରିଏଣ୍ଟ : ବ୍ରିଟେନ୍‌ରେ ଲାମ୍ୱଡା ଓ ଡେଲ୍‌ଟା ଭାରିଏଣ୍ଟ୍‌ ଆତଙ୍କ, ୬ ଜଣ ଲାମ୍ୱଡା ସଂକ୍ରମିତ ରୋଗୀ ଚିହ୍ନଟ

ଲଣ୍ଡନ,(ଓଡ଼ିଶା ଭାସ୍କର) : ମହାମାରୀ କରୋନାର ନୂତନ ନୂତନ ଭାରିଏଣ୍ଟ ଚିହ୍ନଟ ହେବା ପୁଣିଥରେ ବିଶ୍ୱବାସୀଙ୍କ ଭୟ ବଢ଼ାଇବାରେ ଲାଗିଲାଣି । କରୋନାର ଗୋଟିଏ ପରେ ଗୋଟିଏ ଲହର ଏବେ ଲୋକଙ୍କ ମନରେ ଆତଙ୍କ ରଚି ଚାଲିଛି । ବିଭିନ୍ନ ଦେଶରେ କରୋନାର ନୂଆ ନୂଆ ଭାରିଏଣ୍ଟ ଚିହ୍ନଟ ହେବା ପରେ ଏପରି ସମସ୍ୟା ଉପୁଜିବାରେ ଲାଗିଛି ।

ଏବେ ଭାରତରେ ଡେଲ୍‌ଟା ପ୍ଲସ୍‌ ଭାରିଏଣ୍ଟକୁ ନେଇ ଆତଙ୍କ ବଢ଼ିଥିବା ବେଳେ ପୁଣିଥରେ ବ୍ରିଟେନ୍‌ରେ କୋଭିଡ ସଂକ୍ରମଣର ଭୟ ଦେଖାଦେଇଛି । ସପ୍ତାହକ ମଧ୍ୟରେ କୋଭିଡର ଡେଲ୍‌ଟା ଭାରିଏଣ୍ଟ୍‌ ଦ୍ୱାରା ୩୫ ହଜାର ୨୦୪ ଜଣ ସଂକ୍ରମିତ ହେବା ପରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ଏହି ସମସ୍ତ ଆକ୍ରାନ୍ତଙ୍କୁ ମିଶାଇଲେ ବ୍ରିଟେନରେ ମୋଟ୍‌ ଡେଲ୍‌ଟା ପ୍ଲସ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୧,୧୫୭କୁ ବୃଦ୍ଧି ପାଇଛି । ଭାରତରେ ପ୍ରଥମେ ଦେଖାଦେଇଥିବା ଏହି ଡେଲ୍‌ଟା ଭାରିଏଣ୍ଟ୍‌ ୭୦ରୁ ଅଧିକ ଦେଶରେ ଚିହ୍ନଟ ହୋଇଛି ।

ବ୍ରିଟେନର ପବ୍ଲକ ହେଲଥ୍‌ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗୋଟିଏ ସପ୍ତାହ ମଧ୍ୟରେ ବ୍ରିଟେନ୍‌ରେ ଡେଲ୍‌ଟା ଭାରିଏଣ୍ଟ ସଂକ୍ରମିତଙ୍କ ସଂଖ୍ୟା ୪୬% ବୃଦ୍ଧି ପାଇଛି । ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୨ଜଣ ଡେଲ୍‌ଟା ପ୍ଲସ୍‌ ଭାରିଏଣ୍ଟ ଆକ୍ରାନ୍ତ । ଡେଲ୍‌ଟା ଭାରିଏଣ୍ଟର ନୂତନ ମ୍ୟୁଟାଣ୍ଟ ଡେଲଟା ପ୍ଲସ୍‌ ଭାବରେ ପରିଚିତ । ବ୍ରିଟେନରେ ସଂଗୃହୀତ ହୋଇଥିବା ମୋଟ୍‌ ନମୁନାର ଜେନେଟିକ୍ସରୁ ଡେଲ୍‌ଟା ଭାରିଏଣ୍ଟ ୯୫ ପ୍ରତିଶତ ରହିଛି । କିନ୍ତୁ ଯେଉଁମାନେ ଟିକାର ଉଭୟ ଡୋଜ୍‌ ନେଇଛନ୍ତି ସେମାନଙ୍କୁ ହସ୍ପିଟାଲ ନେବାକୁ ପଡ଼ି ନାହିଁ ।

ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଡକ୍ଟର ଜେନି ହାରିସ୍‌ କହିଛନ୍ତି ଯେ ଏବେର ସ୍ଥିତିରୁ ସ୍ପଷ୍ଟ ଯେ ସଫଳ ଟିକାକରଣ ପାଇଁ ଡାକ୍ତରଖାନାରେ ବହୁତ କମ୍‌ ରୋଗୀ ଭର୍ତ୍ତି ହୋଇଛନ୍ତି । ଟିକାକରଣକୁ ଅଣଦେଖା କରିବା ଠିକ୍‌ ନୁହେଁ ବୋଲି ସେ କହିବା ସହ ଟିକାର ଗୋଟିଏ ଡୋଜ୍‌ ଅପେକ୍ଷା ଡବଲ ଡୋଜ୍‌ ଅଧିକ ପ୍ରଭାବଶାଳୀ ବୋଲି ସେ କହିଛନ୍ତି । ବ୍ରିଟେନ୍‌ ସ୍ୱାସ୍ଥ୍ୟ ବିଭାଗ କରୋନାର ଆଉ ଏକ ଭାରିଏଣ୍ଟ ଲାମ୍ବଡାକୁ ପରୀକ୍ଷା କରିବ ବୋଲି କହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚଳିତ ମାସ ୧୪ ତାରିଖରେ ଏହି ଲାମ୍ବଡା ଫର୍ମକୁ ଚିହ୍ନଟ କରିଥିଲା । ଲାମ୍ବଡା ଶ୍ରେଣୀରେ ବ୍ରିଟେନ୍‌ରୁ ୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହା ପ୍ରଥମେ ପେରୁରେ ଚିହ୍ନଟ ହୋଇଥିଲା ।

Get real time updates directly on you device, subscribe now.