fbpx
BSKY SKY
BSKY SKY

ସେରମ୍‌ର ବଡ଼ ଘୋଷଣା: ଜୁଲାଇରୁ ଶିଶୁଙ୍କ ଉପରେ ଷ୍ଟେଜ୍‌-୨ ଓ ଷ୍ଟେଜ୍‌-୩ ଟିକା ଟ୍ରାଏଲ୍‌, ୯୨୦ଜଣ ପିଲାଙ୍କ ଉପରେ ହେବ ପରୀକ୍ଷଣ

BSKY

ନୂଆଦିଲ୍ଲୀ/ପୁନେ (ଓଡ଼ିଶା ଭାସ୍କର): କରୋନାର ତୃତୀୟ ଲହର ସମୟରେ ଛୋଟ ଶିଶୁମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏବେ ଶିଶୁମାନଙ୍କ ଟିକାକରଣ ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଶନିବାର ପୁନେସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ପକ୍ଷରୁ ଘୋଷଣା କରାଯାଇଛି ଯେ ଆସନ୍ତା ଜୁଲାଇ ମାସରୁ ୨ରୁ ୧୧ ଏବଂ ୧୨ରୁ ୧୭ ବର୍ଷ ବୟସର ୯୨୦ଜଣ ପିଲାଙ୍କ ଉପରେ “କୋଭୋଭାକ୍ସ’ ଟିକାର ପରୀକ୍ଷଣ କରାଯିବ । ଷ୍ଟେଜ୍‌-୨ ଓ ଷ୍ଟେଜ୍‌-୩ ଟ୍ରାଏଲ୍‌ ଆରମ୍ଭ କରିବାକୁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କୁହାଯାଇଛି ।

ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍‌ ଅଫ୍‌ ଇଣ୍ଡିଆ (ଡିସିଜିଆଇ)ଙ୍କ ଅନୁମତି ମିଳିବା ପରେ ଆଗାମୀ ମାସରେ ପୁନେର ଭାରତୀ ହସ୍ପିଟାଲ୍‌, କେଇଏମ୍‌ ହସ୍ପିଟାଲ ସମେତ ୧୦ଟି ସ୍ଥାନରେ ଏହି ଟିକାର ପରୀକ୍ଷଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରଥମେ ୧୨ରୁ ୧୭ ବର୍ଷ ବର୍ଗ ଓ ଏହାପରେ ୨ରୁ ୧୧ ବର୍ଷ ବର୍ଗର ପିଲାଙ୍କ ଉପରେ କୋଭୋଭାକ୍ସ ପରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି ।

ଆମେରିକୀୟ ବାୟୋଟେକ୍ନୋଲୋଜିକାଲ୍‌ କମ୍ପାନୀ ନୋଭାଭାକ୍ସ ଗତ ବର୍ଷ ସେପ୍ଟେମ୍ବରରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ସହ କରୋନା ଟିକା ନିର୍ମାଣ ନେଇ ଚୁକ୍ତି କରିଥିଲା । ନୋଭାଭାକ୍ସ କରୋନା ଟିକାକୁ ଭାରତରେ କୋଭୋଭାକ୍ସ ନାମରେ ପ୍ରସ୍ତୁତ କରାଯାଉଛି । ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଏହି ଟିକାକୁ ଭାରତରେ ଲଞ୍ଚ୍‌ କରିବାକୁ ଲକ୍ଷ୍ୟ ରଖିଛି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ । ତେବେ ଏହି ଟିକାକୁ ଶିଶୁଙ୍କ ଉପରେ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷଣ କରାଯିବ । ଯଦି ସବୁ କିଛି ଠିକ୍‌ଠାକ୍‌ ରୁହେ, ତେବେ ଖୁବ୍‌ଶୀଘ୍ର ଦେଶରେ ଛୋଟ ଶିଶୁଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.