ଆପଣ ବି ବିଳମ୍ବିତ ରାତିରେ ଶୋଉଛନ୍ତି କି? ସାବଧାନ! ମାନସିକ ସ୍ବାସ୍ଥ୍ୟ ଉପରେ ପଡ଼ିପାରେ ଗମ୍ଭୀର ପ୍ରଭାବ
ବିଳମ୍ବିତ ରାତିରେ ଶୋଇଲେ ଦେଖାଯାଇଥାଏ ମାନସିକ ସମସ୍ୟା । ବୃଦ୍ଧି ପାଏ ଆତ୍ମହତ୍ୟା ଆଶଙ୍କା ।
ନୂଆଦିଲ୍ଲୀ: ବିଳମ୍ବିତ ରାତି ପର୍ଯ୍ୟନ୍ତ ନଶୋଇ ରହୁଥିଲେ ହୋଇଯାଆନ୍ତୁ ସାବଧାନ । ଏନେଇ ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ୮ ବର୍ଷ ଧରି ୭୦,୦୦୦ ରୁ ଅଧିକ ଲୋକଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ରାତି ୧ଟା ପରେ ଶୋଇବା ଦ୍ୱାରା ମାନସିକ ଏବଂ ବ୍ୟବହାରିକ ସମସ୍ୟାର ଆଶଙ୍କା ବୃଦ୍ଧି ପାଇଥାଏ ।
ବିଳମ୍ବରେ ଶୋଇଲେ ମାଡିବ ମାରାତ୍ମକ ରୋଗ- ଏହି ଅଧ୍ୟୟନ ସାଇକିଆଟ୍ରି ରିସର୍ଚ୍ଚ ପତ୍ରିକାରେ ପ୍ରକାଶିତ ହୋଇଛି । ଯେଉଁଥିରେ ଷ୍ଟାନଫୋର୍ଡ ମେଡିସିନର ଗବେଷକମାନେ 75,000 ବୟସ୍କଙ୍କ ଶୋଇବା ଅଭ୍ୟାସ ବିଶ୍ଳେଷଣ କରିଛନ୍ତି । ସେମାନେ ଜାଣିପାରିଲେ ଯେ ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ରହନ୍ତି, ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ।
ଗବେଷକମାନେ ଅଂଶଗ୍ରହଣକାରୀଙ୍କ ଶୋଇବା ପସନ୍ଦ ଏବଂ ସେମାନଙ୍କର ପ୍ରକୃତ ଶୋଇବା ଅଭ୍ୟାସ ତୁଳନା କରିଥିଲେ । ଫଳାଫଳଗୁଡ଼ିକ ସ୍ପଷ୍ଟ ଭାବରେ ଦର୍ଶାଇଥିଲା ଯେ କେହି ଶୀଘ୍ର ଉଠିବା କିମ୍ବା ବିଳମ୍ବିତ ରାତିରେ ଶୋଇବା ଦ୍ବାରା ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ ।
ଗବେଷଣା ଅନୁଯାୟୀ, ଯେଉଁମାନେ ବିଳମ୍ବିତ ରାତିରେ ଶୋଇଥାନ୍ତି ସେମାନଙ୍କଠାରେ ଡିପ୍ରେସନ୍ ଏବଂ ଚିନ୍ତା ଭଳି ମାନସିକ ରୋଗର ଆଶଙ୍କା ଅଧିକ ଥାଏ। ଅଧ୍ୟୟନର ବରିଷ୍ଠ ଲେଖକ ଏବଂ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଜେମି ଜେଟଜର କହିଛନ୍ତି ଯେ ଯେଉଁମାନେ ବିଳମ୍ବିତ ରାତିରେ ଶୋଇଥାନ୍ତି, ସେମାନଙ୍କର ସବୁଠାରୁ ଅଧିକ କ୍ଷତି ହୋଇଥାଏ ।
ଲୋକମାନେ ପ୍ରାୟତଃ ରାତିରେ ଖରାପ ନିଷ୍ପତ୍ତି ନିଅନ୍ତି, ଯାହା ସେମାନଙ୍କର ମାନସିକ ସ୍ଥିତିକୁ ପ୍ରଭାବିତ କରେ । ଗବେଷଣା ଅନୁଯାୟୀ, ବିଳମ୍ବିତ ରାତିରେ ଜାଗ୍ରତ ରହୁଥିବା ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ଚିନ୍ତାଧାରା, ହିଂସାତ୍ମକ ଅପରାଧ, ମଦ୍ୟପାନ ଏବଂ ନିଶାଦ୍ରବ୍ୟ ସେବନ ଏବଂ ଅତ୍ୟଧିକ ଖାଇବା ଭଳି ଅଭ୍ୟାସ ଅଧିକ ଦେଖାଯାଏ ।