fbpx

MCD Update: ଚାଲିଛି ଭୋଟ୍ ଗଣତି, BJP-AAP କଡ଼ା ଟକ୍କର, ବର୍ତ୍ତମାନ କିଏ ରହିଛି ଆଗରେ

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନର ଆଜି ଭୋଟ ଗଣତି ଆରମ୍ଭ ହୋଇଛି । ମୋଟ ୨୫୦ଟି ୱାର୍ଡର ୧,୩୪୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଗତ ୪ ତାରିଖରେ ଏମସିଡି ନିର୍ବାଚନ ପାଇଁ ଜନସାଧାରଣ ମତଦାନ କରିଥିଲେ । ତେବେ ଏହା ମଧ୍ୟରେ ଏଗଜିଟ ପୋଲର ତଥ୍ୟ ସାମ୍ନାକୁ ଆସିଯାଇଥିବା ବେଳେ ତାହାକୁ ନେଇ ଆମ୍ ଆଦମୀ ପାର୍ଟି (ଆପ) ଖୁସିରେ ଫାଟି ପଡ଼ୁଛି । ଯଦି ଏଗଜିଟ ପୋଲର ଆକଳନ ସତ୍ୟ ପ୍ରମାଣିତ ହୁଏ, ତେବେ ଏମସିଡିରେ ବିଜେପିର ୧୫ ବର୍ଷ ଶାସନର ଅନ୍ତ ଘଟିବ ।

ଗତ ୨୦୧୭ ଏମସିଡି ନିର୍ବାଚନରେ ବିଜେପି ୨୭୦ଟି ୱାର୍ଡରୁ ୧୮୧ଟିରେ ବିଜୟ ହାସଲ କରିଥିବା ବେଳେ ଆପ ୪୮ଟିରେ ଓ କଂଗ୍ରେସ ୨୭ଟିରେ ଜିତିଥିଲା । ତେବେ ଆଜି ସକାଳ ୮ଟାରୁ ନିର୍ବାଚନ କମିସନ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଭୋଟ କାଉଣ୍ଟିଂ ପାଇଁ ୪୨ଟି କାଉଣ୍ଟିଂ ସେଣ୍ଟର ସ୍ଥାପନ କରାଯାଇଛି । ତେବେ ସଦ୍ୟ ଅପଡେଟ୍ ମୁତାବକ, ସକାଳ ୯.୩୦ ସୁଦ୍ଧା ଆପ ମୋଟ ୧୨୭ଟି ସିଟରେ ଆଗରେ ରହିଥିବା ବେଳେ ବିଜେପି ୧୧୭ଟିରେ, କଂଗ୍ରେସ ୫ଟିରେ ଓ ଅନ୍ୟ ଦଳ ୧ଟି ସିଟରେ ଆଗରେ ରହିଛନ୍ତି ।

ତେବେ ଏଗଜିଟ ପୋଲର ତଥ୍ୟ ଆପ ସପକ୍ଷରେ ଯାଇଛି । ଇଣ୍ଡିଆ ଟୁଡେ ଏକ୍ସିସ ମାଇଁ ଇଣ୍ଡିଆ ସର୍ଭେ ମୁତାବକ, ଆପ ୧୪୯-୧୭୧, ବିଜେପି ୬୯-୯୧, କଂଗ୍ରେସ ୩-୭ଟି ସିଟ୍ ପାଇବ । ଏମସିଡି ନିର୍ବାଚନରେ ବିଜେପିକୁ ୩୫ ପ୍ରତିଶତ ଭୋଟ ମିଳିଥିବା ବେଳେ ଆପକୁ ୪୩ ପ୍ରତିଶତ ଓ କଂଗ୍ରେସକୁ ୧୦ ପ୍ରତିଶତ ଭୋଟ ମିଳିଥିବାର ଅନୁମାନ କରାଯାଉଛି । ତେବେ ଏମସିଡି ନିର୍ବାଚନ ହାତେଇବା ପାଇଁ ଭାଜପା ରାତିଦିନ ଏକ କରିଦେଇଛି । ଯଦି କୌଣସି କାରଣ ବଶତଃ ଏମସିଡି ହାତରୁ ଚାଲିଯାଏ, ତେବେ ୨୦୨୪ ନିର୍ବାଚନ ପୂର୍ବରୁ ସାରା ଦେଶରେ ଅରବିନ୍ଦ କେଜ୍ରିୱାଲ ମୋଦୀଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.