ସମସ୍ତେ ଜାଣିବେ ରତ୍ନଭଣ୍ଡାରରେ କ’ଣ ଅଛି

ଯ।ହା ବିଜେଡି ୨୪ ବର୍ଷ ଭିତରେ କରିପାରିଲାନି ତାହା କରି ଦେଖାଇବ ବିଜେପି। ଗଣତି ମଣତି ପରେ ରତ୍ନଭଣ୍ଡାରର ଅଳଙ୍କାରର ତଥ୍ୟ ସାର୍ବଜନୀନ କରିବେ ସରକାର।

 ପୁରୀ: ସାର୍ବଜନୀନ ହେବ ରତ୍ନ ଭଣ୍ଡାର ଅଳଙ୍କାର। ମହାପ୍ରଭୁଙ୍କର କେତେ ଅଳଙ୍କାର ଅଛି? ପୂର୍ବରୁ ଯାହା ଅଳଙ୍କାର ଥିଲା ତାହା ସୁରକ୍ଷିତ ଅଛି କି ନାହିଁ। ସେ ସବୁ ତଥ୍ୟ ଲୋକଙ୍କ ସାମ୍ନାକୁ ଆସିବ। ରତ୍ନଭଣ୍ଡାର ଭିତରେ କଣ ଅଛି ତାହା ସମସ୍ତେ ଜାଣିବେ।

ଏନେଇ ନିଜେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବିଧାନସଭାରେ ଲିଖିତ ଉତ୍ତରରେ ଏନେଇ ନିଜେ କହିଛନ୍ତି ଆଇନ ମନ୍ତ୍ରୀ। ଏବେ ରତ୍ନ ଭଣ୍ଡାରର ମରାମତି କାର୍ଯ୍ୟ ଚାଲୁ ରହିଛି। ମରାମତି ସରିବା ପରେ ଗଣତି ମଣତି ହୋଇ ସବୁ ତଥ୍ୟ ସାର୍ବଜନୀନ ହେବ।

ସାର୍ବଜନୀନ ହେବ ଅଳଙ୍କାର: ଯଦି ଦେଖିବା ଶେଷ ଥର ପାଇଁ ୧୯୭୮ ମସିହାରେ ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି ହୋଇଥିଲା। ତା ପରଠାରୁ ଦୀର୍ଘ ବର୍ଷ ହେବ ଭଣ୍ଡାର ଅଳଙ୍କାରର ଗଣତି ମଣତି ହୋଇନାହିଁ।

ହେଲେ ବିଜେପି ସରକାର ଏହି କାର୍ଯ୍ୟ କରିବାକୁ ଯାଉଛି। ମହାପ୍ରଭୁଙ୍କ ପ୍ରତ୍ୟେକ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ। ପୂର୍ବରୁ ଗଣତି ସମୟରେ ଯେତିକି ତଥ୍ୟ ମିଳିଥିଲା ଏବେ ସେହି ତଥ୍ୟ ଠିକ୍ ଅଛି ନା ସେଥିରେ କିଛି ଗଡ଼ବଡ଼ ହୋଇଛି। ସମସ୍ତ ଘଟଣା ଲୋକଲୋଚନକୁ ଆସିବ।

ବିଜେଡି ପାରିଲାନି ବିଜେପି କରି ଦେଖାଇଲା: ବିଜେଡି ଦୀର୍ଘ ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଲା। ହେଲେ ୨୪ ବର୍ଷ କାଳ ସରକାରରେ ରହି ସୁଦ୍ଧା ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି କରିପାରିଲା ନାହିଁ।

ଗଣତି କରିବା ତ ଦୂରର କଥା। ରତ୍ନଭଣ୍ଡାରର ଦ୍ୱାର ମଧ୍ୟ ଖୋଲି ପାରିଲା ନାହିଁ। ହେଲେ ବିଜେପି ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶୃତି ଦେଇଥିଲା ତାହା କରିଦେଖାଇଲା। କ୍ଷମତାକୁ ଆସିବାର ମାସକ ମଧ୍ୟରେ ରତ୍ନଭଣ୍ଡାରର ଦ୍ୱାର ଖୋଲିଲା। ଆଉ ଅଳଙ୍କାର ସବୁକୁ ଏକ ଅସ୍ଥାୟୀ ଭଣ୍ଡାରରେ ରଖାଯାଇ ଭଣ୍ଡାର ଗୃହର ମରାମତି କାର୍ଯ୍ୟ ଚାଲୁ ରହିଲା।

ଲିଖିତ ଉତ୍ତର ରଖିଲେ ମନ୍ତ୍ରୀ: ଆଉ ଆଜି ଯେତେବେଳେ ବିଧାନସଭାରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି ନେଇ ପ୍ରଶ୍ନ ରଖିଥିଲେ। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଆଇନମନ୍ତ୍ରୀ।

ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ଦେବାକୁ ଯାଇ କହିଥିଲେ ରତ୍ନଭଣ୍ଡାରରେ କେତେ ଅଳଙ୍କାର ଅଛି, ତାହା ସାର୍ବଜନୀନ ହେବ। ଗଣତି ମଣତି ଶେଷ ହେବା ପରେ ଅଳଙ୍କାର ନେଇ ତଥ୍ୟ ଦିଆଯିବ। ଏବେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଚାଲୁ ରହିଛି। ଶେଷ ହେବା ପରେ ଗଣତି ମଣତି କରାଯିବ।