ଦେବଗଡ଼: ୟୁଟ୍ୟୁବରୁ ଚାଷ ଶିଖି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ରକମ ରକମର ଫଳ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି ।
କେବଳ ଏତିକି ନୁହେଁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ରୋଜଗାରର ବାଟ ଦେଖାଇଛନ୍ତି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଦେବଗଡ଼ରେ ।
ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ ଉଟୁଣିଆମୁଣ୍ଡା ଗ୍ରାମର ସ୍ୱାଗତିକା ବିଶ୍ୱାଳ । ସେ ୟୁଟ୍ୟୁବରୁ କୋଳି ଚାଷ କରିବାର ପ୍ରଣାଳୀ ଦେଖିବା ପରେ ବର୍ତ୍ତମାନ କୋଳି ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।
ସ୍ୱାଗତିକା ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ କିଛି ମହିଳାଙ୍କୁ ରୋଜଗାର ଯୋଗାଇ ପାରିଛନ୍ତି। ଛୋଟ ବେଳୁ ସ୍ୱାଗତିକାଙ୍କ ଚାଷ ପ୍ରତି ରୁଚି ଥିଲା । ସେ କଲେଜରେ ଗ୍ରାଜୁଏସନ ଶେଷ କରିବା ପରେ ପରିବାର ଲୋକ ତାଙ୍କର ବାହାଘର କରିଦେଇଥିଲେ ।
ବିବାହ ପରେ ସେ ତାଙ୍କ ସ୍ୱପ୍ନ ପୂରଣ ପାଇଁ ସ୍ୱାମୀ ଅରୁଣ ତନୟ ସାମଲଙ୍କ ସହ ଆଲୋଚନା କରିଥିଲେ । ସ୍ୱାମୀ ଅରୁଣଙ୍କ ପ୍ରୋତ୍ସାହନରେ ସେ ଗ୍ରାମରେ ରହିଥିବା ତିନି ଏକର ଜମିରେ ତିନି ବର୍ଷ ତଳେ କୋଳି ଚାଷ ଆରମ୍ଭ କରିଥିଲେ।
କଲିକତାରୁ ଆଠ ଶହ କୋଳି ଚାରା ଆଣି ରୋପଣ କରିଥିଲେ । ଏଥିରେ ଥାଇଲାଣ୍ଡ ଆପଲ ବେରୀ, ବଲ ସୁନ୍ଦରୀ ଆପଲ ବେରୀ, କାଶ୍ମୀରୀ ଆପଲ ବେରୀ, ଗ୍ରୀନ ଆପଲ ବେରୀ, ମିସ ଇଣ୍ଡିଆ ବେରୀ ତଥା ବିଭିନ୍ନ ପ୍ରଜାତିର କୋଳି ଚାରାରୋପଣ କରିଛନ୍ତି । କୋଳି ଚାଷ କରିବା ସହ ଏବେ ତାଙ୍କ ବଗିଚାରେ ଆମ୍ବ, ପିଜୁଳି, ଲିଚୁ ଭଳି ଫଳ ଚାଷ ଆରମ୍ଭ କରିଛନ୍ତି। ଶିକ୍ଷିତ ଯୁବ ସମାଜ ଚାକିରି ପଛରେ ନ ଗୋଡ଼ାଇ ଏଭଳି କୃଷି କାର୍ୟ୍ୟ କରି ଆର୍ଥିକ ସ୍ୱାବଲମ୍ବୀ ହେବା ସହ ଅନ୍ୟ କିଛି ମହିଳାଙ୍କୁ ରୋଜଗାର ଯୋଗାଇ ପାରିଛନ୍ତି । ତାଙ୍କର ଏହି କାର୍ୟ୍ୟ ଦକ୍ଷତା ସ୍ଥାନୀୟ ମହିଳା ଯୁବଚାଷୀମାନଙ୍କ ପାଇଁ ପ୍ରେରଣା ।