fbpx

ସମଲିଙ୍ଗୀ ଦମ୍ପତିଙ୍କୁ ଶେଷରେ ମିଳିଲା ନ୍ୟାୟ: କାମ ଦେଲାନି ପରିବାରର ହତ୍ୟା ଧମକ, ଏକାଠି ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେରଳର ଏକ ସମଲିଙ୍ଗୀ ଦମ୍ପତିଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି । କିଛିଦିନ ପୂର୍ବରୁ ଏହି ସମଲିଙ୍ଗୀ ଦମ୍ପତି ସେମାନଙ୍କର ପରିବାର ଦ୍ୱାରା ଅଲଗା ହୋଇଯାଇଥିଲେ । ମାତ୍ର ବର୍ତ୍ତମାନ ହାଇକୋର୍ଟଙ୍କ ରାୟ ସମସ୍ତଙ୍କୁ ତାଜୁବ୍ କରିଦେଇଛି । ହାଇକୋର୍ଟ ପୁଣି ଥରେ ଏହି ଦମ୍ପତିଙ୍କୁ ଏକାଠି କରିଛନ୍ତି । ସମଲିଙ୍ଗୀ ଯୋଡ଼ି ଅଧିଲା ନାସ୍ରିନ ଓ ଫତିମା ନୁରା ଏକାଠି ରହିପାରିବେ ବୋଲି କେରଳ ହାଇକୋର୍ଟ ରାୟ ଶୁଣାଇଛନ୍ତି ।

ସୂଚନା ମୁତାବକ, ଅଧିଲାଙ୍କୁ ୨୨ ବର୍ଷ ବୟସ ହୋଇଥିବା ବେଳେ ସେ ଆଲୁଭାରେ ରୁହନ୍ତି । ନିକଟରେ ପରିବାରବର୍ଗଙ୍କ ଦ୍ୱାରା ଏହି ଦମ୍ପତି ଅଲଗା ହୋଇଯାଇଥିଲେ । ଏହାପରେ ଖୋଜିକୋଡ଼େର ୨୩ ବର୍ଷୀୟା ନୁରାଙ୍କ ସହ ଏକତ୍ର ରହିବା ପାଇଁ ଅଧିଲା ଅଦାଲତରେ ମାମଲା ଦାୟର କରିଥିଲେ । ତେବେ କୋର୍ଟଙ୍କ ନିଷ୍ପତ୍ତି ପରେ ଅଧିଲା ଓ ନୁରା ଏକତ୍ର ରହିବା ଉଦ୍ଦେଶ୍ୟରେ ଗତ ୧୯ ତାରିଖରେ ସେମାନଙ୍କର ଘର ପରିତ୍ୟାଗ କରିଥିଲେ । ସେମାନେ ତାଙ୍କର ଘରକୁ ଫେରିବାକୁ ଚାହାନ୍ତି ନାହିଁ ବୋଲି ଏହି ସମଲିଙ୍ଗୀ ଦମ୍ପତି ପୋଲିସ ଆଗରେ କହିଥିଲେ ।

ଏନେଇ ଏକ ସାକ୍ଷାତକାରରେ ଅଧିଲା କହିଥିଲେ ଯେ, ମୁଁ ଫତିମାଙ୍କ ସହ ରିଲେସନପିରେ ରହୁଥିବାରୁ ମୋତେ ଧମକ ଦିଆଯାଇଥିଲା । ଏପରିକି ଆମ ଦୁହିଁଙ୍କୁ ଅଭିଭାବକଙ୍କ ଦ୍ୱାରା ବଳପୂର୍ବକ ଅଲଗା କରି ଦିଆଯାଇଥିଲା । ଆମର ସମ୍ପର୍କ ସ୍କୁଲ ସମୟରୁ ଆରମ୍ଭ ହୋଇଥିଲା । ଘରଲୋକ ବିରୋଧ କରୁଥିଲେ ହେଁ ଆମେ ସମ୍ପର୍କରେ ରହିଥିଲୁ । ଅଭିଭାବକମାନେ ଆମର ସୁବିଧା ଅସୁବିଧା ବୁଝିବା କଥା, ମାତ୍ର ସେମାନେ ଆମ ସହ ଖେଳୁଛନ୍ତି । ମୋତେ ଓ ମୋ ବାପାଙ୍କୁ ଜୀବନାରୁ ମାରି ଦେବାକୁ ନୁରାଙ୍କ ମାଆ ଧମକ ଦେଇଥିଲେ । ଏପରିକି ସେମାନେ ମୋଠାରୁ ନୁରାଙ୍କୁ ଜୋରଜବରଦସ୍ତି ନେଇଯାଇଥିଲେ ।

Get real time updates directly on you device, subscribe now.