fbpx
BJD SKY
BJD SKY

ତାଳଚେରର ଚିନ୍ତା ବଢ଼ାଇଲା ତୁର୍କୀ-ସିରିଆ ଭୂକମ୍ପ: ୪ଟି କୋଇଲା ଖଣି ଫମ୍ପା, ସୂତାଖିଅରେ ଝୁଲୁଛି ୬୦ ହଜାର ଲୋକଙ୍କ ଜୀବନ, କେବେ ହେବ ସର୍ଭେ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପ୍ରମୁଖ କୋଇଲା ଖଣି ଅଞ୍ଚଳ ତାଳଚେରକୁ ନେଇ ଆସିଛି ଏକ ବଡ଼ ଖବର । ତାଳଚେରର ୬୦ ହଜାର ଲୋକଙ୍କର ଜୀବନ ସତେ ଯେମିତି ସୂତାଖିଅରେ ଝୁଲୁଛି । ତୁର୍କୀ-ସିରିଆ ଭୂକମ୍ପ ପରେ ଏବେ ତାରଚେରକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ପୂର୍ବରୁ ଭୂତତ୍ତ୍ୱ ବିଭାଗ ପକ୍ଷରୁ ତାଳଚେରକୁ ଭୂମିକମ୍ପ ପ୍ରବଣ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା ।

ସୂଚନା ମୁତାବକ, ୪ଟି ଭୂତଳ କୋଇଲା ଖଣିରେ ଆବଶ୍ୟକ ମୁତାବକ ବାଲି ଭର୍ତ୍ତି କରାଯାଇ ନଥିବାରୁ ଭିତରେ ପାଖାପାଖି ୧୦୦ ମିଟର ତଳେ ଫମ୍ପା ରହିଛି । ତେଣୁ ତାଳଚେରରେ ଭୂକମ୍ପର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଚିନ୍ତାବ୍ୟକ୍ତ କରିଛନ୍ତି ଅନେକ ବୁଦ୍ଧିଜୀବୀ । ବ୍ରିଟିଶ ଅମଳରୁ ନନ୍ଦିରା, ଦେଉଳବେଡ଼ା, ଚମ୍ପାପସି, ହାଣ୍ଡିଧୁଆ ଓ ଡେରା ଆଦି ୫ଟି ଭୂତଳ କୋଇଲା ଖଣି ଚାଲିଥିବା ବେଳେ ଗତ କିଛି ହେଲା ୪ଟି ଖଣି ବନ୍ଦ କରାଯାଇ କେବଳ ନନ୍ଦିରା ଖଣିରୁ କୋଇଲା ଉତ୍ତୋଳନ କରଯାଉଛି । ତେବେ ବନ୍ଦ ଖଣି ଗୁଡ଼ିକରେ ନିୟମ ଅନୁସାରେ ଯେତିକି ବାଲି ଭର୍ତ୍ତି କରାଯିବା କଥା ତାହା କରାଯାଇନଥିବା କୁହାଯାଉଛି ।

ହାଣ୍ଡିଧୁଆ, ଦେଉଳବେଡ଼ା, ଚମ୍ପାପସି ଭୂତଳ ଖଣିରେ ଯେତିକି ମାତ୍ରାରେ ବାଲି ଭର୍ତ୍ତି କରାଯିବା କଥା ତାହା ଭର୍ତ୍ତି କରାଯାଇନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏହି ୩ଟି ଭୂତଳ ଖଣି ଉପରେ ତାଳଚେର ସହରର ପାଖାପାଖି ୬୦ ହଜାର ଲୋକ ବସବାସ କରୁଛନ୍ତି । ତେଣୁ କେତେବେଳେ କ’ଣ ଘଟିବ ତାହା ଅନୁମାନ କରିବା କଷ୍ଟକର । ଗତ ୧୯୯୨ ବେଳକୁ ତାଳଚେରରେ ଲଗାତର ଭୂକମ୍ପ ହେଉଥିଲା । ଏପରିକି ଅନେକ ସମୟରେ ସହରର ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ଗର୍ତ୍ତ ସୃଷ୍ଟି ହୋଇଥିଲା । ତାହାକୁ ନେଇ ଲୋକମାନେ ଭୟଭୀତ ହେବା ସହ ଖଣିରେ ବାଲି ଭର୍ତ୍ତି ନେଇ ଆନ୍ଦୋଳନ କରିଥିଲେ ।

ତେବେ ଏହା ମଧ୍ୟରେ ୨୫ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଯାଇଥିବା ବେଳେ ବାଲି ଭର୍ତ୍ତି କାମ ସମାପ୍ତ ହୋଇନାହିଁ । ଏନେଇ କିଛି ବୁଦ୍ଧିଜୀବୀ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପଟେ ଭୂତଳ ଖଣି ଫମ୍ପା ଥିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ ବୋଲି ମହାନଦୀ କୋଲ ଫିଲ୍ଡସ (ଏମସିଏଲ) ଅଧିକାରୀମାନେ କହିଛନ୍ତି । ବର୍ତ୍ତମାନ ସମୟରେ ତାଳଚେର ବାସିନ୍ଦା ନିଜକୁ ସୁରକ୍ଷିତ ମଣୁନଥିବା ବେଳେ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ମଧ୍ୟ ଦାୟର ହୋଇଛି । ତୁରନ୍ତ ଫମ୍ପା ସ୍ଥାନରେ ବାଲି ଭର୍ତ୍ତି ନେଇ ଦାବି ହୋଇଛି । ଲୋକଙ୍କ ବସବାସ ପାଇଁ ତାଳଚେର କେତେ ସୁରକ୍ଷିତ ସେନେଇ ବିଶେଷଜ୍ଞଙ୍କ ଦ୍ୱାରା ସର୍ଭେ କରାଯିବା ଦରକାର ବୋଲି କିଛି ପରିବେଶବିତ୍ ମତ ଦେଇଛନ୍ତି ।

Get real time updates directly on you device, subscribe now.