fbpx
BJD SKY
BJD SKY

ଓଡ଼ିଆ ଝିଅଙ୍କୁ ନେଇ ବଲିଉଡରେ ଚର୍ଚ୍ଚା: ଓଡ଼ିଆ ଭାଷାରେ ରିଲିଜ୍ ହେବ ‘Sir Madam Sarpanch’ ଫିଲ୍ମ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଝିଅ ଆରତୀ ଦେବୀଙ୍କୁ ନେଇ ଏବେ ସାରା ଦେଶରେ ଖୁବ୍ ଚର୍ଚ୍ଚା । ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ାର ପୂର୍ବତନ ସରପଞ୍ଚ ଆରତୀ ଦେଶର ସର୍ବକନିଷ୍ଠ ସରପଞ୍ଚ ଭାବେ ପରିଚିତ ଥିଲେ । ଆରତୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଛି ବଲିଉଡ୍ ଫିଲ୍ମ ‘ସାର୍ ମ୍ୟାଡାମ୍ ସରପଞ୍ଚ’ । ଏହି ଫିଲ୍ମଟି ୪ଟି ଭାଷାରେ ନିର୍ମାଣ ହୋଇ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରି ସାରିଥିବା ବେଳେ ଖୁବଶୀଘ୍ର ଏହା ଓଡ଼ିଆ ଭାଷାରେ ମୁକ୍ତିଲାଭ କରିବ ।

ଆରତୀ ଜଣେ ଏମବିଡି ଡିଗ୍ରୀଧାରୀ ଉଚ୍ଚଶିକ୍ଷିତା ହୋଇଥିବା ବେଳେ ସେ ବ୍ୟାଙ୍କରେ ଚାକିରି କରୁଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସେ ଚାକିରି ଛାଡ଼ି ୨୦୧୨ରେ ନିଜ ପଞ୍ଚାୟତ ଢୁଙ୍କାପଡ଼ାରୁ ମାତ୍ର ୨୪ ବର୍ଷ ବୟସରେ ସରପଞ୍ଚ ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ଏପରି ଭାବେ ସେ ଦେଶର ସର୍ବକନିଷ୍ଠ ସରପଞ୍ଚ ଭାବେ ବିବେଚିତ ହୋଇଥିଲେ । ଆରତୀ ପକ୍କାରାସ୍ତା, ପିଡିଏସ୍ ସରଳୀକରଣ ସହ ପଞ୍ଚାୟତରେ ଦେଢ଼ ଲକ୍ଷ ଗଛ ଲଗାଇ ରାଜ୍ୟ ସରକାରଙ୍କ ତରଫରୁ ‘ପ୍ରକୃତି ମିତ୍ର’ ପୁରସ୍କାର ପାଇଥିଲେ ।

ଏଥିସହିତ ଆରତି ‘ଟିପଚିହ୍ନ ନୁହେଁ ଦସ୍ତଖତ ଦିଅ’ ନାରା ଦେଇ ଶତାଧିକ ମହିଳାଙ୍କୁ ସ୍ୱାକ୍ଷର କରିପାରିଥିଲେ । ଏପରିକି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାଷ୍ଟ୍ରପତି ଥିବା ସମୟରେ ଆରତୀ ଭାରତରୁ ଏକମାତ୍ର ପ୍ରତିନିଧି ଭାବେ ‘ଇଣ୍ଟରନ୍ୟାସନାଲ ଭିଜିଟର୍ସ ଲିଡରଶିପ୍ ପ୍ରୋଗ୍ରାମ’ରେ ଭାଗ ନେଇ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିପାରିଥିଲେ । ତେବେ ନାରୀ ଶିକ୍ଷା ଓ ଗ୍ରାମାଞ୍ଚଳର ବିକାଶ ଉପରେ ସିନେମା ହୋଇଥିବାରୁ ସେ ବହୁତ ଖୁସି ଅନୁଭବ କରୁଥିବା ଆରତୀ କହିଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାରପ୍ରାପ୍ତ ପ୍ରବୀଣ ମୋରାଚ୍ଛାଲେ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ।

Get real time updates directly on you device, subscribe now.