fbpx

ଦାନ/ଦକ୍ଷିଣା ପାଇଁ ଦୁର୍ବ୍ୟବହାର କଲେ ଲିଙ୍ଗରାଜ ମନ୍ଦିର ସେବାୟତ; CMOକୁ ଜଣାଇଲେ ଭକ୍ତ

ବେଆଇନ ଦାନ ଥାଳି ବଦଳରେ ଦାନ ହୁଣ୍ଡି ବସାଇବାକୁ କଲେ ଦାବି

ଭୁବନେଶ୍ୱର: ସୂଚନା ମୁତାବକ ଆନନ୍ଦ ବାଜପେୟୀ ନାମକ ଜଣେ ବରିଷ୍ଠ ନାଗରିକ ଗତ ଡିସେମ୍ବର ୭ତାରିଖରେ ସପତ୍ନୀକ ସାଙ୍ଗରେ ନେଇ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଆସିଥିଲେ। ମନ୍ଦିର ଭିତରେ ପହଞ୍ଚିବା ପରେ କିଛି କଥା ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ବିଶେଷକରି କିଛି ସେବାୟତଙ୍କ ବ୍ୟବହାର ଉଭୟ ପତିପତ୍ନୀଙ୍କୁ ମର୍ମାହତ କରିଥିଲା। ସେ ଅଭିଯୋଗରେ ଲେଖିଛନ୍ତି, ‘‘ଦର୍ଶନ ପାଇଁ ଯିବା ବେଳେ ଆଡକାଠ ନିକଟରେ ଦୁଇ ଜଣ ପୂଜାରୀ ଠାକୁରଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ। ସେଠାରେ ଥିବା ଏକ ଟଙ୍କା ଭର୍ତ୍ତି ବଡ଼ ଷ୍ଟିଲ୍ ଥାଳିରେ ୫୦୦, ୧୫୦୦ ଓ ୨୦୦୦ ଟଙ୍କା ପକାଇବାକୁ ତାଙ୍କୁ ବାଧ୍ୟ କରିଥିଲେ। ସେ ଟଙ୍କା ନଦେବାରୁ ତାଙ୍କୁ ଖରାପ ବ୍ୟବହାର କରିବା ସହ ଦର୍ଶନ କରିବାକୁ ଦେଇ ନଥିଲେ।

ଏତେ ଜୋର୍‌ରେ ପାଟି କରୁଥିଲେ ଯେ ଦୁଇ ମିନିଟ୍ ମଧ୍ୟ ଶାନ୍ତିରେ ଠାକୁରଙ୍କୁ ଦର୍ଶନ କରି ହେଉନଥିଲା। ମୋ’ ଭଳି ଯେଉଁମାନେ ଟଙ୍କା ଦେଉ ନଥିଲେ ତାଙ୍କୁ ତୁରନ୍ତ ସେଠାରୁ ବାହାର କରି ଦିଆଯାଉଥିଲା। ମନ୍ଦିର ପ୍ରଶାସନର ଦାନବାକ୍ସକୁ ଲୋକଙ୍କ ନଜରରୁ ଦୂରେଇ ରଖି ସେଠାରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କା ଆଦାୟ କରାଯାଉଥିଲା।’’ ଏନେଇ ସେ ଜଣେ ପୁଲିସ ଅଧିକାରୀଙ୍କୁ ଅଭିଯୋଗ କରି ନିରାଶ ହୋଇଥିଲେ। ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମେଲ୍ କରି ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ମନ୍ଦିର ପ୍ରଶାସନ ତିନି ନିଯୋଗଙ୍କୁ ନୋଟିସ୍ ଜାରି କରିଛି।

Get real time updates directly on you device, subscribe now.