fbpx

ଲକ୍ଷାଧିକ ଟଙ୍କାର ବିଦେଶୀମଦ ଜବତ ମାଲିକକୁ ଗିରଫ କଲା ପୋଲିସ

ବିଦେଶୀ ଚୋରାମଦ ଗୋଦାମ ଉପରେ ଅତର୍କିତ ପୋଲିସ ଚଢ଼ାଉ। ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଚ୍ଛିତ ଥିବା ବେଆଇନ ବିଦେଶୀମଦ ଜବତ। ତେବେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୧ ନମ୍ବରୱାର୍ଡ଼ର ଘଟଣା। ଏଠାରେ ଥିବା ଗୋଲେଇ ନିକଟ ମାର୍କେଟ କମ୍ପ୍ଲେକ୍ସ ଘର ଉପରେ ଗତକାଲି ରାତିରେ ଅତର୍କିତ ଚଢ଼ାଉ କରି ପାଖାପାଖି ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା ବିଦେଶୀମଦ ଜବତ କରିବା ସହ ମାଲିକ ସତ୍ୟଜିତ ସାହୁଙ୍କୁ ଗିରଫ କରିଛି ପୋଲିସ । ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ଲାଗିରହିଥିବା ମହାମାରୀ କରୋନା ସଂକ୍ରମଣ ମୁକାବିଲା ପାଇଁ ସାରାରାଜ୍ୟରେ ଲକଡାଉନ ଚାଲିଥିବା ବେଳେ ଅତ୍ୟାବଶ୍ୟକ ବିକ୍ରୟ ବ୍ୟବସାୟ ପ୍ରତିଷ୍ଠାନ ବ୍ୟତୀତ ଅନ୍ୟସମସ୍ତ ଦୋକାନବଜାର ମଧ୍ୟ ବନ୍ଦ ରହିଛି। ସେହିପରି ସ୍ୱୀକୃତିପ୍ରାପ୍ତ ସରକାରୀ ମଦଦୋକାନ ଗୁଡିକୁ ମଧ୍ୟ ସିଲ କରିଛି ପ୍ରଶାସନ । ଏହା ସତ୍ତ୍ୱେ କରଞ୍ଜିଆ ଵିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଅଧ୍ୟକ୍ଷଙ୍କ ବଡଭାଇ ସତ୍ୟଜିତ ସାହୁ ପ୍ରଶାସନ ଆଖିରେ ଧୂଳିଦେଇ ମାର୍କେଟ କମ୍ପ୍ଲେକ୍ସର ଏକ ଘରେ ପାଖାପାଖି ୪ ରୁ ୫ଶହ ପେଟି ବିଦେଶୀମଦ ଗଚ୍ଛିତ ରଖିଥିଲେ। ଯାହାର ଅନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହବ ବୋଲି କହିଛନ୍ତି ଚଡାଉରେ ସାମିଲ ଥିବା ଅଧିକାରୀମାନେ। ଏଇ ଲକଡାଉନ ସମୟରେ ଗାଁ ମାନଙ୍କରେ ମଦର ଅଭାବକୁ ଦୃଷ୍ଟିରେ ରଖି ଚୋରା ବେପାରୀମାନଙ୍କୁ ଚଢା ଦରରେ ବିଦେଶୀମଦ ଯୋଗାଉଥିଲେ ଅଭିଯୁକ୍ତ ସତ୍ୟଜିତ ସାହୁ। କୌଣସି ସୂତ୍ରରୁ ଖବରପାଇ କରଞ୍ଜିଆ ଉପ-ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ,ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ, କରଞ୍ଜିଆ ତହସିଲଦାର ତାପସ ରଞ୍ଜନ ଦେହୁରୀ, କରଞ୍ଜିଆ ଅବକାରୀ ଇନ୍ସପେକ୍ଟର କ୍ଷିତିଶ ଦାସ, କରଞ୍ଜିଆ ଥାନା ଅଧିକାରିଣୀ ସୋରଜିନି ସିଂ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ ଅତର୍କିତ ଭାବେ ଗୋଲେଇ ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସ ଉପରେ ଚଡାଉ କରି ବିପୁଳ ପରିମାଣର ଗଚ୍ଛିତ ଥିବା ବିଦେଶୀମଦ ଜବତ ସହିତ ମାଲିକ ସତ୍ୟଜିତ ସାହୁଙ୍କୁ ଅଟକ ରଖିଛି ପୋଲିସ । ତେବେ ଲକଡାଉନ ସମୟରେ ଦୋକାନ ବଜାର ବନ୍ଦ ଥିବାର ସୁଯୋଗ ନେଇ ନିଜର ସ୍ୱୀକୃତିପ୍ରାପ୍ତ ମଦଦୋକାନରୁ ଚଞ୍ଚକତାକରି କିପରି ଏତେ ମାତ୍ରାରେ ବିଦେଶୀମଦ ଅନ୍ୟ ସ୍ଥାନରେ ରଖିପାରିଲେ ତାହା ଏବେ ସନ୍ଦେହ ଘେରରେ ।ଯେତେବେଳେ ପ୍ରଶାସନ ପକ୍ଷରୁ ଦୋକାନ ସିଲ ହେଲା ସେତେବେଳେ ଲାଇସେନ୍ସି ଉଠାଇଥିବା ସମସ୍ତ ମଦର ହିସାବକରି ସିଲ କରିଥାନ୍ତି । ହେଲେ ଦୋକାନସିଲ ବେଳେ ଯୋଉ ଅଧିକାରୀମାନେ ସାମିଲ ଥିଲେ ଏସବୁ ଘଟଣା ଜାଣି ଥିଲେ ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ତାହା ତଦନ୍ତ ସାପେକ୍ଷ। ତେବେ ଏତେ ସବୁ ଘଟଣା କ୍ଷମତାସୀନ ଦଳର ଜଣେ ପୂର୍ବତନ ଏନ.ଏ.ସି ଅଧ୍ୟକ୍ଷଙ୍କ ଭାଇର ହୋଇଥିବାରୁ ପ୍ରଶାସନ ପକ୍ଷରୁ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.