fbpx

ରାଜ୍ୟରେ ଜୁଲାଇ ୧ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲକଡାଉନ୍ କଟକଣା ଆଂଶିକ କୋହଳ କରାଯାଇଛି । ରାଜ୍ୟରେ ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ୍ ଜାରି ରହିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସୁରେଶ ମହାପାତ୍ର । ଆସନ୍ତାକାଲି ସକାଳ ୫ଟା ପରଠାରୁ ଆସନ୍ତା ଜୁଲାଇ ମାସ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି ଆଂଶିକ ଲକଡାଉନ୍ ଲାଗୁ ହେବ । ୧୪ ଦିନ ପାଇଁ ଲାଗୁ ହୋଇଥିବା ଏହି ଆଂଶିକ ଲକଡାଉନ୍ ସମୟରେ ସପ୍ତାହାନ୍ତ ସଟଡାଉନ୍ ସମସ୍ତ ଜିଲ୍ଲାରେ ବଳବତ୍ତର ରହିବ ।
କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରିଛନ୍ତି । ସଂକ୍ରମଣ ହ୍ରାସ ହୋଇଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ଏ କାଟାଗୋରୀରେ ରଖାଯାଇଛି । ଏହି ଜିଲ୍ଲାମାନଙ୍କରେ ସକାଳ ୬ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ କଟକଣା କୋହଳ କରାଯିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଏ କାଟାଗୋରିରେ ରହିଛନ୍ତି ।

ସେହିପରି ସଂକ୍ରମଣ ଅଧିକ ରହିଥିବା ୧୩ ଜିଲ୍ଲାକୁ ବି କାଟାଗୋରିରେ ଅନ୍ତର୍ଭୁକ୍ତ କରାଯାଇଛି । ସଂକ୍ରମଣ ହାର ଅଧିକ ରହିଥିବାରୁ ଏହି ଜିଲ୍ଲାମାନଙ୍କରେ ସକାଳ ୬ରୁ ଦିନ ମଧ୍ୟାହ୍ନ ୧ଟା ଯାଏ କଟକଣା କୋହଳ କରାଯାଇଛି । ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ବି କାଟାଗୋରିରେ ରହିଛନ୍ତି ।

ଲକଡାଉନ୍ ସମୟରେ ସମସ୍ତ ମିଠା ଦୋକାନ ଖୋଲା ରହିବା ସହ ମଲ, ଜିମ୍, ସେଲୁନ୍, ସ୍ପା ପୂର୍ବପରି ବନ୍ଦ ରହିବ । ସମଗ୍ର ରାଜ୍ୟରେ ମନ୍ଦିର ବନ୍ଦରହିବ, ମାତ୍ର ପୂଜାର୍ଚ୍ଚନା ଜାରି ରହିବ । ଉଠାଦୋକାନୀମାନେ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ । ରାଜ୍ୟରେ ଟିକାକରଣ, ଟେଷ୍ଟିଂ ଓ ସ୍ୱାସ୍ଥ୍ୟସେବା ଭଳି କାର୍ଯ୍ୟ ପାଇଁ କଟକଣା ରହିବ ନାହିଁ ବୋଲି କୁହାଯାଇଛି ।

 

Get real time updates directly on you device, subscribe now.