fbpx

ଜୁନ୍ ୨୬ରେ ହେବ ଲୋକସଭା ବାଚସ୍ପତି ନିର୍ବାଚନ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ ବହୁମତ ହାସଲ କରିବା ସହ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାର କାର୍ଯ୍ୟଭାର ଗ୍ରହଣ କରିଛି । ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଦେଶରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତେବେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ଗ୍ରହଣ କରିବା ପରେ ଏବେ ବାଚସ୍ପତି ନିର୍ବାଚନ ଉପରେ ସଭିଙ୍କ ନଜର । କିଏ ହେବେ ଦେଶର ପରବର୍ତ୍ତୀ ବାଚସ୍ପତି ସେନେଇ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଆସନ୍ତା ୨୬ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ଏନଡିଏର ମେଣ୍ଟ ସରକାରରେ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ଓ ବିହାରର ଜେଡିୟୁ ସାମିଲ ଥିବାରୁ ଏହି ପାର୍ଟିର ଜଣେ ସାଂସଦ ଲୋକସଭା ଅଧ୍ୟକ୍ଷ ହେବା ନେଇ ଦୁଇ ଦଳର ସୁପ୍ରିମୋ ଆଶାବାଦୀ ଅଛନ୍ତି । ତେବେ କାହାକୁ ଏହି ପଦ ମିଳୁଛି ତାହା ଯଥାଶୀଘ୍ର ସ୍ପଷ୍ଟ ହୋଇଯିବ । ତେବେ ୧୭ତମ ଲୋକସଭାରେ ଓମ ବିର୍ଲା ଲୋକସଭା ବାଚସ୍ପତି ଭାବେ ଚୟନ ହୋଇଥିବା ବେଳେ ଏଥର ମଧ୍ୟ ତାଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ଏଥର ଶ୍ରୀ ବିର୍ଲା ରାଜସ୍ଥାନର କୋଟା ଲୋକସଭା ଆସନରୁ ତୃତୀୟ ଥର ପାଇଁ ଜିତି ସଂସଦକୁ ନିର୍ବାଚିତ ହୋଇଛନ୍ତି ।

୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ । ଜୁନ୍ ୨୭ରେ ରାଜ୍ୟସଭାର ଅଧିବେଶନ ଡକାଯିବ । ଏହି ଅବଧି ମଧ୍ୟରେ ଜୁନ ୨୪ରେ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ । ଏହାପରେ ଲୋକସଭା ସ୍ପିକର ନିର୍ବାଚନ ହେବ । ୨୫ ପର୍ଯ୍ୟନ୍ତ ସ୍ପିକରଙ୍କ ନାମ ପ୍ରସ୍ତାବ ଦିଆଯାଇ ପାରିବ ଓ ୨୬ରେ ନିର୍ବାଚନ ହେବ । ଏହି ରେସରେ ଡି. ପୁରନ୍ଦେଶ୍ୱରୀଙ୍କ ନାମ ସର୍ବାଗ୍ରେ ରହିଛି ।

Get real time updates directly on you device, subscribe now.