fbpx
BSKY SKY
BSKY SKY

ଆନ୍ତଃରାଜ୍ୟ କୁଖ୍ୟାତ ଲୁଟେରା ହେମନ୍ତକୁ ବାନ୍ଧିଲା ପୋଲିସ, ଲକ୍ଷାଧିକ ଟଙ୍କା ଲୁଟ୍ ସାମଗ୍ରୀ ଜବତ

BSKY

କଟକ, (ଭାସ୍କର ନ୍ୟୁଜ୍‌): କମିଶନରେଟ୍‌ ପୋଲିସ ଜଣେ ଆନ୍ତଃରାଜ୍ୟ କୁଖ୍ୟାତ ଲୁଟେରାକୁ ବାନ୍ଧିବା ସହ ଲୁଟ୍‌ ସାମଗ୍ରୀକୁ ସଂଗ୍ରହ କରୁଥିବା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ୨ ଅଭିଯୁକ୍ତ ହେଲେ ଆନ୍ତଃରାଜ୍ୟ କୁଖ୍ୟାତ ଲୁଟେରା ହେମନ୍ତ ଦାସ (୫୯) ଓ ଲୁଟ୍‌ ସାମଗ୍ରୀ ସଂଗ୍ରହ କରୁଥିବା ଅଭିଯୁକ୍ତଙ୍କ ନାମ ହେଲା ବୈଦ୍ୟନାଥ ସାହୁ (୩୭) । ପୋଲିସ ହେମନ୍ତ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଅର୍ଥରାଶି ଜବତ କରିଛି । ଗିରଫ କୁଖ୍ୟାତ ଲୁଟେରା ଜଣକ ଖୋର୍ଦ୍ଧା ଜିଲ୍ଲା ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ହାଟସାହିର ଲୋକନାଥ ଦାସଙ୍କ ପୁଅ ବୋଲି ଜଣାପଡିଛି । ସେହିପରି ଲୁଟ୍‌ ସାମଗ୍ରୀ ସଂଗ୍ରହ କରୁଥିବା ବ୍ୟକ୍ତି ଅଭିଯୁକ୍ତ ଜଣକ ହେଲେ ବାରଙ୍ଗ ଥାନା ଅନ୍ତର୍ଗତ ଦଧପାଟଣାର ଦେବେନ୍ଦ୍ର ସାହୁଙ୍କ ପୁଅ ବୋଲି ଜଣାପଡ଼ିଛି ।ସୋମବାର ଦିନ ପୋଲିସ ହେମନ୍ତଙ୍କ ନିକଟରୁ ୪ଟି ସୁନା କାନଫୁଲ, ଗୋଟଏ ସୁନା ଚୁଡ୍‌, ୨ଟି ସୁନାଚେନ୍‌, ୪ଟି ମୁଦି, ଗୋଟିଏ ରୁପା ମୁକୁଟ, ୨ ହଳ ରୁପା ପାଉଁଞ୍ଜି, ଗୋଟିଏ ଆଧାର କାର୍ଡ, ଗୋଟିଏ ମୋବାଇଲ, ନଗଦ ୨୨ ହଜାର ଟଙ୍କା ଆଦି ଜବତ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୯ ତାରିଖ ମଧ୍ୟରାତ୍ରରେ ହେମନ୍ତ ବାଦାମବାଡ଼ି ଥାନା ଅନ୍ତର୍ଗତ ବିକାଶ ନଗରର ପ୍ରତାପ ଚନ୍ଦ୍ର ଦାଶଙ୍କ ଘରେ ପଶି ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ନଗଦ ୫୦ହଜାର ଟଙ୍କା ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟ୍‌ କରି ଫେରାର ହୋଇଯାଇଥିଲା । ହେମନ୍ତ ତାଙ୍କ ଘରର ତାଲା ଭାଙ୍ଗି କଳାକଳା ବୁଲାଇ ଫେରାର ହୋଇଯାଇଥିଲା । ଏନେଇ ପ୍ରତାପ ବାଦାମବାଡ଼ି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରିଥିଲା । ତଦନ୍ତ ବେଳେ ହେମନ୍ତକୁ ପୋଲିସ କାବୁ କରିବା ସହ ସେ ଲୁଟ୍‌ କରିଥିବା ସାମଗ୍ରୀ ସବୁକୁ ବାରଙ୍ଗର ବୈଦ୍ୟନାଥ ସାହୁଙ୍କୁ ବିକ୍ରି କରିଥିଲା । ଏହି ଘଟଣାରେ ପୋଲିସ ବୈଦ୍ୟନାଥଙ୍କୁ ଗିରଫ କରିଥିବାବେଳେ ତା ନାମରେ କଟକ, ବାରଙ୍ଗ, ବାଲିଅନ୍ତା, ନୟାପଲ୍ଲୀ, ପୁରୀଘାଟ ଆଦି ଥାନା ମାନଙ୍କରେ ପ୍ରାୟ ୧୨ଟି ମାମଲା ରହିଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ, ଆନ୍ତଃରାଜ୍ୟ କୁଖ୍ୟାତ ଲୁଟେରା ହେମନ୍ତ ନାମରେ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରାୟ ୧୧୦ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି । ଗତ ୧୯୮୬ ମସିହାରୁ ହେମନ୍ତ ଲୁଟ୍‌ କରୁଥିବାବେଳେ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ବହୁ ମାମଲା ରହିଥିବା ଜଣାପଡିଛି ।

Get real time updates directly on you device, subscribe now.