fbpx

୯/୧୧ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ: ସ୍ଥାନୀୟ ଲୋକଙ୍କ ଯୋଗୁଁ ଅଳ୍ପକେ ବର୍ତ୍ତିଲେ ଗ୍ରାହକ, ବିଳମ୍ୱରେ ପହଞ୍ଚିଲା ଦମକଳ ଗାଡ଼ି

ଟିଟିଲାଗଡ଼, (ଭାସ୍କର ନ୍ୟୁଜ): ଟିଟିଲାଗଡ଼ ସହର ପୁରୁଣା ବ୍ୟାଙ୍କ ଛକ ସ୍ଥିତ ୯/୧୧ ନାଇନ ଇଲେଭେନ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘିଟିଛି । ଦୋକାନ ଭିତରେ ନିଆଁ ହୁ ହୁ ହୋଇ ଜଳୁଥିବା ବେଳେ ନିଆଁର କବଳରେ ଅନେକ ଗ୍ୟାସ ସିଲିଣ୍ଡର ରହିଥିଲା । ନାଇନ ଇଲେଭେନ ଦୋକାନରେ ସେତେବେଳେ ଅନେକ ଗ୍ରାହକ ଥିଲେ । ଦୋକାନ ମାଲିକ ପ୍ରକାଶ ଗୋୟଲ ଧୂଆଁ ଦେଖି ନିଆଁ ଲାଗିଥିବା ସନ୍ଦେହ କରିଥିଲେ । ପରେ ସମସ୍ତ ଗ୍ରାହକମାନଙ୍କୁ ନିରାପଦ ରେ ବାହାର କରି ଟିଟିଲାଗଡ଼ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ହେଲେ ଅଗ୍ନିଶମ ବିଭାଗ ଆସିବାର ବିଳମ୍ୱ ହେଉଥିବା ଯୋଗୁଁ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଉଧ୍ୟମ ଆରମ୍ଭ କରିଥିଲେ । ନିଆଁ କବଳରୁ ଗ୍ୟାସ ସିଲିଣ୍ଡର ମାନଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲେ ।

ଘଟଣାସ୍ଥଳରେ ବ୍ୟାପକ ଲୋକେ ଜମା ରହି ନିଆଁ କୁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଦୋକାନ ପାଖରେ ରହିଥିବା ଦୁଇ ଚକିଆ ବାଇକଗୁଡ଼ିକୁ ହଟାଇବାରେ ସାହାଯ୍ୟ କରିଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ ଟିଟିଲାଗଡ଼ ଥାନା ଅଧିକାରୀ ରଂଜନ ବରିହା ସଦଳବଳେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିବା ସହ ପୁରୁଣା ବ୍ୟାଙ୍କ ଛକକୁ ସଂଯୋଗ ହୋଇଥିବା ସମସ୍ତ ରାସ୍ତାକୁ ସିଲ କରିଦେଇଥିଲେ । ଟିଟିଲାଗଡ଼ ଦମକଳ ବାହିନୀ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ଅଗ୍ନିଶମ ବିଭାଗର ଏଲ୍‌ଏଫ୍‌ଏମ୍‌ ସୂର୍ଯ୍ୟମଣି ରଣା, ବିକ୍ରମ ବାରିକ,ଦୁଃଖିରାମ ପ୍ରଧାନ , ଗଜାନନ୍ଦ ଜାଲ, ପ୍ରତାପ ଭୋଇ ପ୍ରମୁଖ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ ଜାରି କରିଥିଲେ । ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ବ୍ୟାପି ଥିବା ଅନୁମାନ କରାଯାଉଛି ।ଏହି ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କା ର ସମ୍ପତ୍ତି, ଦୋକାନ ସାମଗ୍ରୀ, ବେକେରି ସାମଗ୍ରୀ ସହ ଅନେକ ସାମଗ୍ରୀ ଜଳି ପୋଡି ଯାଇଛି । ଅନ୍ୟପଟେ ଦମକଳ ବାହିନୀ ବିଳମ୍ୱରେ ଆସିବାରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ସେପଟେ ପ୍ରଖର ନିଆଁ କୁ ମଧ୍ୟ ଖାତିର ନ କରି ନିଆଁ ଭିତରୁ ଗ୍ୟାସ ସିଲିଣ୍ଡର ବାହାର କରିବାକୁ ସନ୍ତୋଷ ମହାନ୍ତି, ପ୍ରେମ ବିଶି, ବୁଲ ବୁଲ ମେହେର, ଅଜୟ ବେହେରା, ବିଜୟ ମେହେର, ସଞ୍ଜୟ ବଂଶଲ, ଅଭିଷେକ ଅଗ୍ରୱାଲ, ପ୍ରଭାତ ଗୋୟଲ, ଆଦର୍ଶ ଗୋୟଲ ସମେତ ଅନେକ ସ୍ଥାନୀୟ ବ୍ୟକ୍ତି ପ୍ରମୁଖମିଶି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ।

Get real time updates directly on you device, subscribe now.