fbpx

ଆସିଥିଲେ ଚିକିତ୍ସା କରାଇବାକୁ, ପାଲଟିଗଲେ ପରସ୍ପରର ନିଃଶ୍ଵାସ, ମେଣ୍ଟାଲ ହସ୍ପିଟାଲର ଅଦ୍ଭୁତ ପ୍ରେମ କାହାଣୀ

ଚେନ୍ନାଇ: ପ୍ରେମ କେବେ, କେଉଁଠି ଏବଂ କେଉଁ ସମୟରେ କାହା ସହିତ ହୋଇଯିବ ଏହା ବିଷୟରେ କହିବା ବହୁତ ମୁସ୍କିଲ। କିଛି ଏମିତି ମାମଲା ଚେନ୍ନାଇର ୨୨୮ ବର୍ଷ ପୁରାତନ ଇନଷ୍ଟିଚ୍ୟୁଟ୍ ଅଫ ମେଣ୍ଟାଲ ହେଲଥ(ଆଇଏମଏଚ)ରେ ଦେଖିବାକୁ ମିଳିଛି। ଏହି କାହାଣୀ ଦୁଇ ମାନସିକ ରୋଗୀଙ୍କ ବିଷୟରେ ଯିଏ ଚିକିତ୍ସା ପାଇଁ ଏହି ହସ୍ପିଟାଲକୁ ଆସିଥିଲେ। ଦୁହେଁ ପରସ୍ପରକୁ କେବେ ଭଲ ପାଇ ବସିଲେ ନିଜେ ଜାଣି ପାରିଲେ ନାହିଁ। ଆଇଏମଏଚରେ ଏହା ଏକ ପ୍ରକାରର ଭିନ୍ନ ଏବଂ ବିରଳ ଘଟଣା। ପ୍ରଥମେ ଦୁଇ ଜଣଙ୍କୁ ପରସ୍ପରର ନିକଟକୁ ଆସିବାକୁ ରୋକାଗଲା। ଯେବେ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣି ପାରିଲେ ଯେ, ଦୁହେଁ ପରସ୍ପର ବିନା ରହି ପାରିବେ ନାହିଁ, ଉଭୟଙ୍କୁ ନିଜ ଜୀବନ ଜିଇଁବା ପାଇଁ ଛାଡି ଦିଆଗଲା। ଆଉ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ପ୍ରେମର ଏହି ଅଦ୍ଭୁତ କାହାଣୀ ଚେନ୍ନାଇ ସ୍ଥିତ ଆଇଏମଏଚର। ପି ମହେନ୍ଦ୍ରନ ଏବଂ ଦୀପା ନିଜର ମାସନିକ ଚିକିତ୍ସା ପାଇଁ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମହେନ୍ଦ୍ରନଙ୍କ ଜୀବନ ସେହି ସମୟରେ ଅଟକି ଯାଇଥିଲା, ଯେବେ ଧନ ସଂପତ୍ତି ପାଇଁ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାକୁ ନେଇ ମହେନ୍ଦ୍ରନ ବହୁତ ଚିନ୍ତା ଏବଂ ମାନସିକ ଚାପରେ ରହୁଥିଲେ। ଅନ୍ୟପଟେ ଦୀପାଙ୍କ ବାପାଙ୍କ ନିଧନ ୨୦୧୬ରେ ହୋଇଥିଲା। ସେ ମଧ୍ୟ ମାନସିକ ଅବସାଦ ଦେଇ ଗତି କରୁଥିଲେ। ମାଆ ଏବଂ ଭଉଣୀ ଘରେ ଥିଲେ ମଧ୍ୟ ସେ ନିଜକୁ ସର୍ବଦା ଏକାକୀ ମଣୁଥିଲେ। ତାଙ୍କର ସ୍ଥିତି ଏମିତି ବିଗିଡି ଯାଇଥିଲା ଯେ, ତାଙ୍କୁ ଆଇଏମଏଚରେ ଭର୍ତ୍ତି କରିବାକୁ ପଡିଥିଲା।

ମହେନ୍ଦ୍ରନ ଏବଂ ଦୀପାଙ୍କୁ ଏହା ମଧ୍ୟ ଜଣା ନଥିଲା ଯେ, ସେମାନେ ଆଇଏମଏଚରେ କେବେ ଭର୍ତ୍ତି ହୋଇଥିଲେ। ସେମାନେ ଏହାବି ଜାଣି ନାହାନ୍ତି ଯେ ଏଠୁ ସେମାନେ କୁଆଡେ ଯିବେ। ଚିକିତ୍ସା ସରିବା ପରେ ବି ଦୁହେଁ ଜାଣିନଥିଲେ ଯେ, ସାଧାରଣ ଜୀବନ ବଞ୍ଚିବା ପାଇଁ ତାଙ୍କର ସାହାଯ୍ୟ କିଏ କରିବ। କିଛି ମାସ ପୂର୍ବେ ମହେନ୍ଦ୍ରନ ଏବଂ ଦୀପାଙ୍କୁ ଆଇଏମଏଚ ପରିସରରେ ନିର୍ମିତ ହାଫ ଓ୍ଵେ ହୋମକୁ ସ୍ଥାନାନ୍ତର କରାଯାଇଥିଲା। ଏହି କୋଠାରେ ସେହି ରୋଗୀଙ୍କୁ ରଖାଯାଏ, ଯାହାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଦେଖିବାକୁ ମିଳିଥାଏ। ଏଠାରେ ହିଁ ପରସ୍ପରକୁ ଭେଟିଥିଲେ ମହେନ୍ଦ୍ରନ ଏବଂ ଦୀପା। ଉଭୟଙ୍କ ମଧ୍ୟରେ ପ୍ରେମର ପୁଲକ ଏହି ହସ୍ପିଟାଲରୁ ହିଁ ଫୁଟିଥିଲା। ଦୁହେଁ ପରସ୍ପରର ନିକଟତର ହୋଇଥିଲେ। ଦୁହେଁ ଦୁହିଁଙ୍କୁ ଚିହ୍ନିବାକୁ ଲାଗିଲେ। ଏବେ ଉଭୟ ଆସନ୍ତା ଶୁକ୍ରବାର ସ୍ଥାନୀୟ ମନ୍ଦିରରେ ବିବାହ କରିବାକୁ ଯାଉଛନ୍ତି।

ଦୀପା କହିଛନ୍ତି, ବାପାଙ୍କ ପରଲୋକ ପରେ ସେ କେବେ ବି ବିବାହ କରିବା ବିଷୟରେ ଚିନ୍ତା କରିନଥିଲେ। ମହେନ୍ଦ୍ରନ କହିଛନ୍ତି, ଦୀପା ଏବେ ତାଙ୍କ ପାଇଁ ସବୁ କିଛି। ଆଇଏମଏଚର ନିର୍ଦ୍ଦେଶକ ପୂର୍ଣ୍ଣା ଚନ୍ଦ୍ରିକା କହିଛନ୍ତି, ତାଙ୍କ ନିକଟକୁ ଅଭିଯୋଗ ଆସିଥିଲା ଯେ, ଦୀପା ଏବଂ ମହେନ୍ଦ୍ରନ ପରସ୍ପର ସହିତ ଅଧିକ ସମୟ ବିତାଉଛନ୍ତି। ଏପରିକି ଦୁହେଁ ଏକତ୍ର ବାହାରକୁ ଯାଉଛନ୍ତି ଏବଂ ଫିଲ୍ମ ଦେଖୁଛନ୍ତି। ଚନ୍ଦ୍ରିକା କହିଛନ୍ତି, ଏହା ପରେ ଦୁଇ ଜଣଙ୍କ ଉପରେ କିଛି କଟକଣା ଲଗାଯାଇଥିଲା। ହେଲେ ଉଭୟଙ୍କ ଭଲ ପାଇବା ବିଷୟରେ ଶୀଘ୍ର ଜାଣିବାକୁ ପାଇଥିଲୁ। ଦୁହେଁ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ଦ୍ଦେଶକ କହିଛନ୍ତି, ବିବାହ ପରେ ଉଭୟ ଏଠାରେ ରହି ପାରିବେ ନାହିଁ। ମହେନ୍ଦ୍ରନ ଏବଂ ଦୀପାଙ୍କ କହିବା କଥା ବିବାହ ପରେ ଦୁହେଁ ଆଇଏମଏଚ ନିକଟରେ ଏକ ଭଡା ଘର ନେଇ ରହିବେ। ଯଦ୍ଵାରା ସେମାନେ ସଭିଙ୍କ ସହ ପରିବାର ପରି ରହି ପାରିବେ।

Get real time updates directly on you device, subscribe now.