fbpx

କେତେ ଆଉ ପ୍ରେମ କରିବ, କେତେ ଆଉ ଜୀବନ ହାରିବ: ପିତାମାତାଙ୍କ ଭଲ ପାଇବା ଟିକେ ବୁଝ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ । ମାତ୍ର ଆଜି ଏହି ପବିତ୍ର ଉକ୍ତିଟି ବୋଧହୁଏ ମିଥ୍ୟା ପାଲଟିଯାଇଛି । ଆଜି ଶହ ଶହ ଯୁବକ, ଯୁବତୀ ପ୍ରେମ ପାଇଁ ନିଜ ଜୀବନ ହାରିବାକୁ ପଛାଉ ନାହାନ୍ତି । କର୍କଟ ରୋଗ ପରି ପ୍ରେମ ରୋଗ ଯୁବପୀଢ଼ିଙ୍କୁ ଆକ୍ରାନ୍ତ କରିସାରିଲାଣି । ତେବେ ଏହି କାରଣରୁ ଗତ ୫ ବର୍ଷ ମଧ୍ୟରେ ୮୬୪ ଜଣଙ୍କ ଜୀବନ ଚାଲିଗଲାଣି । ସେହିପରି ୧୦ ବର୍ଷ ମଧ୍ୟରେ ୩ ଶହରୁ ଅଧିକ ଆତ୍ମହତ୍ୟା କରିଛନ୍ତି । ଗତ ୨୦୧୮ରେ ୨୪୨ ଜଣ, ୨୦୧୯ରେ ୧୭୨ ଜଣ, ୨୦୨୦ରେ ୧୧୧ ଜଣ ଓ ୨୦୨୧ରେ ୧୩୨ ଜଣ ପ୍ରେମ ପାଇଁ ଆତ୍ମହତ୍ୟା କରିଛନ୍ତି ।

ଭୁବନେଶ୍ୱର ଇପଫୋସିଟି ଥାନା ଅନ୍ତର୍ଗତ ଯୁବ ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ତାଙ୍କ ପ୍ରେମିକା ସୋନାଲି ନନ୍ଦଙ୍କ ପାଇଁ ଗତ ଜାନୁଆରୀ ମାସରେ ଆତ୍ମହତ୍ୟା କରିଥିଲେ । କୋଭିଡ୍ ସମୟରେ ସୋନାଲି ସୌମ୍ୟଙ୍କୁ ପ୍ରବଳ ମାତ୍ରାରେ ବ୍ଲାକମେଲିଂ କରିଥିଲେ । ସୌମ୍ୟଙ୍କ ମୃତ୍ୟୁ ପୂର୍ବରୁ ସୋନାଲିଙ୍କ ସହିତ ବାର୍ତ୍ତାଳାପର ଅଡିଓ ରେକର୍ଡ ଭାଇରାଇଲା ହୋଇଥିଲା । ସେହିପରି ଗତ ଜୁନ ମାସରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମୀରେଖା ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ପ୍ରେମିକ ସନ୍ତୋଷ ପାତ୍ର ମଧ୍ୟ ସୁଇସାଇଡ୍ କରିଥିଲେ । ତେବେ ପ୍ରେମ ପାଇଁ ଦୁଇଟି ସରଳ ଜୀବନ ଅକାଳରେ ଝଡ଼ି ପଡ଼ିଥିଲା ।

କିଛିଦିନ ତଳେ ଭୁବନେଶ୍ୱରର ସଫ୍ଟୱେର ଇଞ୍ଜିନିୟର ଶ୍ୱେତା କୁମାରୀଙ୍କ ପ୍ରେମ ପାଇଁ ଜୀବନ ଯାଇଥିଲା । ତାଙ୍କର ପ୍ରେମିକ ସୌମ୍ୟଜିତ ପ୍ରେମରେ ପ୍ରତାରଣା କରିବାରୁ ଶ୍ୱେତା ଆତ୍ମହତ୍ୟା କରିଥିଲେ । ଗତ ଅଗଷ୍ଟରେ ମାସରେ ଭୁବନେଶ୍ୱରର ଶାସ୍ତ୍ରୀନଗରରୁ ଶୁଭଶ୍ରୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର କରାଯାଇଥିଲା । ସେ ବିବାହିତା ଥିଲେ ହେଁ ତାଙ୍କର ପ୍ରେମିକ ସହିତ ମିଳାମିଶା କରୁଥିଲେ । ଏଥିପାଇଁ ଶେଷକୁ ସେ ଆତ୍ମହତ୍ୟାର ପଥକୁ ବାଛି ନେଇଥିଲେ ।

ସେହିପରି ଲିଙ୍ଗରାଜ ଥାନା ନିକଟରୁ ଏକ ଭଡ଼ା ଘରୁ ଜଣେ ଇଞ୍ଜିନିୟର ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଜଣେ ଯୁବତୀଙ୍କୁ ସେ ପ୍ରେମ କରୁଥିବା ବେଳେ ଯୁବତୀ ଜଣଙ୍କ ଅନ୍ୟ ଜଣଙ୍କୁ ଭଲ ପାଇବାରୁ ସିଦ୍ଧାର୍ଥ ଆତ୍ମହତ୍ୟା କରିଥିଲେ । କେବଳ ଏତିକି ନୁହେଁ, ଦୈନିକ ଖବର କାଗଜ ପୃଷ୍ଠା ଓଲଟାଇଥିଲେ ଏକାଧିକ ପ୍ରେମ ଜନିତ ଆତ୍ମହତ୍ୟା ମାମଲା ଦେଖିବାକୁ ମିଳୁଛି । ପିତାମାତଙ୍କ ଭଲ ପାଇବାକୁ ଭୁଲି ଆଜିର ଯୁବପୀଢ଼ି କ୍ଷଣିକ ସୁଖର ମାୟା ପଛରେ ଦୌଡ଼ୁଛନ୍ତି । ପରବର୍ତ୍ତୀ ସମୟରେ ଏହାର ଭୟଙ୍କର ପରିଣତି ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.