fbpx

ସଚିନଙ୍କୁ ପୁଣି ଅଣଦେଖା କଲେ ଘାଟାରେ ପଡିବ କଂଗ୍ରେସ, ପାଇଲଟଙ୍କ କିଛି ଯିବନି, ମୁଖ୍ୟମନ୍ତ୍ରୀ ନକଲେ ରହିଛି ୩ ଭୟ

ନୂଆଦିଲ୍ଲୀ: ଗେହଲଟ୍ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ କିଏ ସମ୍ଭାଳିବେ, ଏହାର ନିଷ୍ପତ୍ତି ଆଜି ହୋଇପାରେ। ଏ ନେଇ ଦିଲ୍ଲୀରୁ ପଠାଯାଇଥିବା ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଏବଂ ଅଜୟ ମାକନଙ୍କ ଉପସ୍ଥିତିରେ ରବିବାର ସନ୍ଧ୍ୟାରେ ଜୟପୁରରେ ବିଧାୟକ ଦଳର ବୈଠକ ହେବାକୁ ଯାଉଛି। ପର୍ଯ୍ୟବେକ୍ଷକ ବିଧାୟକଙ୍କ ସହ ଆଲୋଚନା କରି ସେମାନଙ୍କ ରାୟ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜଣାଇବେ। ତେବେ ଅଶୋକ ଗେହଲଟଙ୍କ ନିକଟତର ନେତାଙ୍କ ମତରେ ଏବେ ମଧ୍ୟ ଅଶୋକ ଗେହଲଟ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପକ୍ଷରେ ନୁହନ୍ତି। ନିଜର ଘନିଷ୍ଠ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ଚାହାନ୍ତି ଗେହଲଟ।
ଗତ ନିର୍ବାଚନ ଠୁ ଧୈର୍ଯ୍ୟର ସହ ଅପେକ୍ଷା କରିଥିବା ସଚିନ ପାଇଲଟଙ୍କ ଆଶାକୁ ପୁଣି ଥରେ ଧୂଳିସାତ କରିବା ପାଇଁ ଗେହଲଟ ନିଜର ରାଜନୈତିକ ରଣ କୌଶଳର ଗୋଟି ଚାଳନା କରି ପାରନ୍ତି। ଅନ୍ୟପକ୍ଷେ ରାଜସ୍ଥାନ ରାଜନୀତିରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ, ଯଦି ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାନଯାଏ ତେବେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବ ? କଣ ସେ ନିରବ ରହି ସବୁ କିଛି ସ୍ଵୀକାର କରି ନେବେ ? କଣ ନିଜର ସେହି ଧୈର୍ଯ୍ୟ ଧରି ଚାଲିଥିବେ ଯାହା ପାଇଁ ରାହୁଲ ତାଙ୍କୁ ପ୍ରଶଂସା କରିଥିଲେ। କଣ ୨୦୧୮ ସମୟର ଦୃଶ୍ୟ ପୁଣି ଥରେ ଦେଖିବାକୁ ମିଳିବ ?

ରାଜନୈତିକ ବିଶ୍ଳେଷକଙ୍କ ମତରେ ପ୍ରାୟ ଦୁଇ ଡର୍ଜନ ବିଧାୟକ ପାଇଲଟଙ୍କ ଇସାରାରେ କୌଣସି ବି ନିଷ୍ପତ୍ତି ନେଇ ପାରନ୍ତି। ସରକାରରେ ସାମିଲ୍ ମନ୍ତ୍ରୀ ମଧ୍ୟ ସଚିନଙ୍କ ବହୁତ ଘନିଷ୍ଠ। ଏହା ବ୍ୟତୀତ ପାର୍ଟି ସଂଗଠନ ଉପରେ ତାଙ୍କର ପତିଆରା ବେଶ ଦୃଢ ରହିଛି। ୨୦୧୮ରୁ ନିଜ ପରିଶ୍ରମର ମୂଲ୍ୟ ମାଗୁଥିବା ପାଇଲଟଙ୍କ ପାଇଁ ଏବେ ଆହୁରି ଅପେକ୍ଷା କରିବା ବହୁତ ମୁସ୍କିଲ ହେବ। ଯଦି ଗେହଲଟ ଅନ୍ୟ ନେତାଙ୍କ ନାମରେ ମୋହର ମାରିବାରେ ସଫଳ ହୁଅନ୍ତି ତେବେ ପାଇଲଟଙ୍କ ପୁଣି ଥରେ ବିଦ୍ରୋହୀ ଆଭିମୁଖ୍ୟ ଦଳ ପାଇଁ ବଡ ବିପଦ ସାଜିପାରେ। ତାଙ୍କ ପାଖରେ ଅଲଗା ଦଳ ଗଠନ କରିବା ବ୍ୟତୀତ ବିଜେପିରେ ଯୋଗ ଦେବାର ଖୋଲା ବିକଳ୍ପ ରହିଛି। ବିଜେପି ସମର୍ଥନରେ ସରକାର ଗଠନ କରିବାର ସମୀକରଣ ମଧ୍ୟ ହୋଇପାରିବ। ସବୁଠୁ ବଡ କଥା ଗତ ଦୁଇ ବର୍ଷରେ ବିଜେପି କେବଳ ଅଶୋକ ଗେହଲଟଙ୍କୁ ସମାଲୋଚନା କରି ଆସିଛି।

ଉଲ୍ଲେଖନୀୟ ୨୦୨୦ରେ ପାଇଲଟଙ୍କ ବିଜେପିରେ ଯୋଗଦାନ ପ୍ରାୟତଃ ସ୍ଥିର ହୋଇ ସାରିଥିଲା। ସେ ନିଜର ସମର୍ଥକ ବିଧାୟକଙ୍କ ସହିତ ରାଜସ୍ଥାନରୁ ବାହାରି ସାରିଥିଲେ। ମାତ୍ର ନିର୍ଣ୍ଣାୟକ ସମୟରେ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ମନାଇବାରେ ସଫଳ ହୋଇଥିଲେ। ହେଲେ ସେହି ସମୟରେ ପାଇଲଟଙ୍କୁ ଦଳ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ଅଦ୍ୟାବଧି ପାଳନ କରାଯାଇ ନାହିଁ। ଏବେ ମଧ୍ୟ ପାଇଲଟ ଗୋଷ୍ଠୀଙ୍କ ବିଧାୟକମାନେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏମିତିରେ ପାଇଲଟଙ୍କ ଉପରେ ନିଜ ନେତା ଏବଂ ସମର୍ଥକଙ୍କ ଚାପ ରହିଛି। କିନ୍ତୁ ଏତିକି ସ୍ପଷ୍ଟ ଯେ, ଏଥର ପାଇଲଟଙ୍କୁ ଅଣଦେଖା କଲେ ପାର୍ଟିରେ ପୁଣି ଥରେ ବିଦ୍ରୋହର ସ୍ଵର ତୀବ୍ରତର ହୋଇପାରେ। ପାର୍ଟି ଭାଙ୍ଗୁ କି ନଭାଙ୍ଗୁ ପୁଣି ଥରେ ଦଳରେ ଗୋଷ୍ଠୀ କନ୍ଦଳ ଚରମରେ ରହିବ ଏବଂ ବିଧାନସଭା-ଲୋକସଭା ନିର୍ବାଚନରେ କଂଗ୍ରେସକୁ ଏହାର ପରିଣାମ ଭୋଗିବାକୁ ପଡିବ। ଏହି କାରଣରୁ ପାର୍ଟିର ରଣନୀତିକାର ବର୍ତ୍ତମାନ ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି।

Get real time updates directly on you device, subscribe now.