fbpx
BJD SKY
BJD SKY

ରାଜ୍ୟରେ ଲଘୁଚାପ ସକ୍ରିୟ: ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

BJD

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ସମ୍ବଳପୁର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ବରଗଡ, ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଘଡଘଡି ସହ ମଧ୍ୟ ବର୍ଷା ହେବ ବୋଲି ବିଭାଗ କହିଛି । ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଉ ଦୁଇଦିନ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିଭଳି ଗୁରୁବାର ପାଇଁ ପଶ୍ଚିମ ଓ ଆଭନ୍ତରୀଣ ଓଡ଼ିଶାର ୧୨ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ଅନୁଗୁଳ, କେନ୍ଦୁଝର, ବୌଦ୍ଧ, ବଲାଙ୍ଗୀର, ସୋନପୁର, ବରଗଡ ଓ ସମ୍ବଲପୁର ଓ ଢ଼େଙ୍କାନାଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କଟକ, ଖୋର୍ଦ୍ଧା, ନୟାଗଡ, ପୁରୀ, ସୁନ୍ଦରଗଡ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, ମାଲକାନାଗିରି, କୋରାପୁଟ, ରାୟଗଡା, ମୟୂରଭଞ୍ଜ, ନୂଆପଡା, ଝାରସୁଗୁଡା ଓ କେନ୍ଦ୍ରାପଡା ପାଇଁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି ।

ଜୁନ୍ ୧ରୁ ଆଜି ସୁଦ୍ଧା ରାଜ୍ୟରେ ୫% ନିଅଣ୍ଟିଆ ବର୍ଷା ଲାଗି ରହିଛି । କୋରାପୁଟରେ ସର୍ବାଧିକ ୧୬୯ମିମି ବର୍ଷା ହୋଇଥିବା ବେଳେ ନନ୍ଦପୁରରେ ୧୩୭ ମିମି, ସେମିଳିଗୁଡାରେ ୧୦୩ ମିମି, ଜୟପୁରରେ ୧୦୦.୮ମିମି ବର୍ଷା ହୋଇଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ହାରାହାରି ୨୩.୭ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ୱାଭାବିକ ବର୍ଷା ୬.୯ମିମି ତୁଳନାରେ ୨୪୨% ଅଧିକ ରହିଥିବା ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.