ଚେନ୍ନାଇ : ଆଜିକାଲି ସାଧାରଣ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍ କୋଟି ଟଙ୍କା ଆସିବାର ମାମଲା ସାମ୍ନାକୁ ଆସୁଛି। ଏଭଳି ଆଉ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କୁ ୨୦୦୦ ଟଙ୍କା ଋଣ ଦେଇଥିଲେ ଏବଂ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ମାତ୍ରେ ସେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। କାରଣ ତାଙ୍କ ଆକାଉଣ୍ଟରେ ୭୫୩ କୋଟି ଟଙ୍କା ଦେଖାଉଥିଲା ।
ଏହି ଆଶ୍ଚର୍ୟ୍ୟଜନକ ଘଟଣା ମହମ୍ମଦ ଇଡ୍ରିସଙ୍କ ସହ ଘଟିଛି । ମହମ୍ମଦ ଇଡ୍ରିସ୍ ଫାର୍ମାସିରେ କାମ କରନ୍ତି । ଇଡ୍ରିଶ କହିଛନ୍ତି ଯେ, ସେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ନିଜ ବନ୍ଧୁଙ୍କୁ ୨,୦୦୦ ଟଙ୍କା ଟ୍ରାନ୍ସଫର କରିଥିଲେ । ଆଉ ଏହା ପରେ, ଯେତେବେଳେ ସେ ତାଙ୍କ ଆକାଉଣ୍ଟ ବାଲାନ୍ସ ଚେକ୍ କଲେ, ସେତେବେଳେ ଆକାଉଣ୍ଟରେ ୭୫୩ କୋଟି ଟଙ୍କା ଦେଖାଉଥିଲା । ତେବେ ଏହା ପରେ ଯେତେବେଳେ ଇଡ୍ରିଶ ତାଙ୍କ ବ୍ୟାଙ୍କ ଶାଖା ସହିତ ଯୋଗାଯୋଗ କରିଥିଲେ, ସେତେବେଳେ ତାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିଲା । ଏହା ହେଉଛି ତାମିଲନାଡୁର ତୃତୀୟ ଘଟଣା, ଯେତେବେଳେ କି ଆକାଉଣ୍ଟରେ ଏତେ ପରିମାଣର ଟଙ୍କା ଜମା କରାଯାଇଥିଲା ।
ଏହାପୂର୍ବରୁ ମଧ୍ୟ ଭୁଲରେ ରାଜକୁମାର ନାମକ ଜଣେ କ୍ୟାବ ଡ୍ରାଇଭରଙ୍କ ଆକାଉଣ୍ଟକୁ ୯ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଯେତେବେଳେ ରାଜକୁମାର ତାଙ୍କ ମର୍କାଣ୍ଟାଇଲ ବ୍ୟାଙ୍କକୁ ଏ ବିଷୟରେ ଜଣାଇଥିଲେ, ସେତେବେଳେ ଜଣାପଡିଲା ଯେ ୯ ହଜାର କୋଟି ଟଙ୍କା ଭୁଲରେ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି। ପରେ ବ୍ୟାଙ୍କ କ୍ୟାବ ଡ୍ରାଇଭର ରାଜକୁମାରଙ୍କ ଆକାଉଣ୍ଟରୁ ଏହି ବିପୁଳ ପରିମାଣର ଟଙ୍କା ଟ୍ରାନ୍ସଫର କରିଥିଲା । ଏହା ବ୍ୟତୀତ, ଥାନାଜୁରର ବାସିନ୍ଦା ଗଣେଶ ନାମକ ଜଣେ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଥିଲା, ଯେତେବେଳେ ସେ ତାଙ୍କ ଆକାଉଣ୍ଟରେ ୭୫୬ କୋଟି ଟଙ୍କା ଦେଖି ଆଶ୍ଚର୍ୟ୍ୟ ହୋଇଯାଇଥିଲେ।