fbpx

Lung Cancer ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କୁ ୩୬ ଗୁଣ ଅଧିକ ଶିକାର କରିଥାଏ- ରିସର୍ଚ୍ଚ

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ଫୁସଫୁସ ଦିବସ । ଫୁସଫୁସର ଯତ୍ନ ନେଇ ତାକୁ ସୁସ୍ଥ ରଖିବା ହେଉଛି ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ । ଆଜି ସାରା ବିଶ୍ୱରେ କ୍ୟାନ୍ସର ଏକ ଭୟଙ୍କର ରୋଗ ହୋଇଥିବା ବେଳେ ଲଙ୍ଗ କ୍ୟାନ୍ସରରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ (ହୁ) ଅନୁଯାୟୀ, ବିଶ୍ୱର ମୋଟ କ୍ୟାନ୍ସର ମୃତକଙ୍କ ମଧ୍ୟରେ ୫ ଜଣରୁ ଜଣେ ହେଉଛନ୍ତି ଲଙ୍ଗ କ୍ୟାନ୍ସ ରୋଗୀ ।

ଗତ ୨୦୧୨ରେ ଲଙ୍ଗ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ୧୮ ଲକ୍ଷ ରହିଥିବା ବେଳେ ୨୦୧୮ ଏହି ସଂଖ୍ୟା ୨୦.୦୯ ଲକ୍ଷ ରହିଥିଲା । କେବଳ ୨୦୧୮ରେ ୧୭.୬ ଲକ୍ଷ ଲୋକଙ୍କୁ ଜୀବନ ଦାନ ଦିଆଯାଇଥିଲା । ମୋଟ କ୍ୟାନ୍ସର ମାମଲା ମଧ୍ୟରୁ ଲଙ୍ଗ କ୍ୟାନ୍ସରର ସଂଖ୍ୟା ହେଉଛି ୧୨.୮ ପ୍ରତିଶତ । ସେହିପରି ମୋଟ କ୍ୟାନ୍ସର ମୃତକଙ୍କ ମଧ୍ୟରୁ ଲଙ୍ଗ କ୍ୟାନ୍ସର ହେଉଛନ୍ତି ୧୭.୮ ପ୍ରତିଶତ ।

ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଲଙ୍ଗ କ୍ୟାନ୍ସର ଏକ ବିରଳ ରୋଗ ଥିଲା । ମାତ୍ର ଧୂମ୍ରପାନ ବୃଦ୍ଧି କାରଣରୁ ଧୀରେଧୀରେ ଏହି କ୍ୟାନ୍ସର ବିଶ୍ୱକୁ ମାଡ଼ିଯାଇଥିଲା । ତମ୍ବାଖୁ ଉତ୍ପାଦନ, ୟୁରାନିୟମ, ଆଜବେଷ୍ଟସ, ବିକିରଣ, ବାୟୁ ପ୍ରଦୂଷଣ, ପୋଷକ ତତ୍ତ୍ୱର ଅଭାବ ଆଦି କାରଣରୁ କ୍ୟାନ୍ସର ବିକାଶ ହୋଇଥାଏ । ଦୀର୍ଘଦିନ ପର୍ଯ୍ୟନ୍ତ କାର୍ସିନୋଜେନିକ ପଦାର୍ଥକୁ ଶ୍ୱାସକ୍ରିୟାରେ ଗ୍ରହଣ କରିବା ଲଙ୍ଗ କ୍ୟାନ୍ସର ପାଇଁ ଦାୟୀ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।

ଜଣେ ବ୍ୟକ୍ତି କେଉଁ ବୟସରେ ଧୂମ୍ରପାନ କରୁଛନ୍ତି, ଧୂମ୍ରପାନର ଅବଧି, ତମ୍ବାଖୁ ଓ ସିଗାରେଟର ପ୍ରକାର, ଧୂମ୍ରପାନ କରାଯାଇଥିବା ସିଗାରେଟର ସଂଖ୍ୟା ଆଦି ସବୁ ଲଙ୍ଗ କ୍ୟାନ୍ସରର ବିକାଶ ଉପରେ ପ୍ରଭାବ ପକାଇଥାଏ । ଆମେରିକାର ସିଡିସି ଅନୁଯାୟୀ, ପ୍ରତିବର୍ଷ ୧୬ ଲକ୍ଷ ଲୋକ ଲଙ୍ଗ କ୍ୟାନ୍ସରରେ ମୃତ୍ୟୁବରଣ କରୁଛନ୍ତି । ଧୂମ୍ରପାନ ଲଙ୍ଗ କ୍ୟାନ୍ସର ପାଇଁ ୯୪ ପ୍ରତିଶତ ଦାୟୀ । ଧୂମ୍ରପାନ ନ କରୁଥିବା ବ୍ୟକ୍ତିଙ୍କ ଅପେକ୍ଷା ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ଠାରେ ଲଙ୍ଗ କ୍ୟାନ୍ସର ଆଶଙ୍କା ୨୪ରୁ ୩୬ ଗୁଣ ଅଧିକ ହୋଇଥାଏ ।

Get real time updates directly on you device, subscribe now.